ଆଜି କଟକ ଓ ଖୋର୍ଦ୍ଧାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କଟକ ଓ ଖୋର୍ଦ୍ଧା ଜିଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଏହି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି । କଟକ କମିସନରେଟ୍ ପୋଲିସ ପୁରା ସୁରକ୍ଷା ବ୍ୟବସ୍ଥାରେ ମୋଟ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବାକୁ ଏଡିସିପି ଓ ଏସିପି ପାହ୍ୟାର ୧୦ ଅଫିସରଙ୍କୁ ନିୟୋଜିତ କରାଯିବ। ତାଙ୍କୁ ସହଯୋଗ କରିବେ ୧୦୦ ପୋଲିସ ଅଫିସର। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସକାଳ ପ୍ରାୟ ୯ଟା ପରଠାରୁ ମାତାମଠ, ଚହଟା, କ୍ୟାଣ୍ଟନ୍ ମେଣ୍ଟ ରୋଡ୍ , ଚଣ୍ଡୀମନ୍ଦିର ଛକ ଓ ବିଜୁ ପଟ୍ଟନାୟକ ଛକ ଆଖପାଖ ଅଞ୍ଚଳରେ ଯାନବାହନ ଚଳାଚଳ ଉପରେ ତୀକ୍ଷ୍ଣ ନଜର ରଖିଯିବ। ୧୧ଟା ୧୭ରେ କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପୁଣି ଅସ୍ଥାୟୀ ହେଲପ୍ୟାଡ୍ କୁ ଫେରିଯିବେ। ସେଠାରେ ହେଲିକପ୍ଟର୍ ରେ ମୁଖ୍ୟମନ୍ତ୍ରୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ କଟକ କାର୍ଯ୍ୟକ୍ରମ ସାରି ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯିବେ ବୋଲି ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଆଜି ସକାଳ ୧୧ଟା ୪୦ ମିନିଟ୍ରେ ସେଠାରେ ପହଞ୍ଚିିବାର କାର୍ଯ୍ୟକ୍ରମ ରହିଛି । ଷ୍ଟାଡିୟମରେ ହେଲିପ୍ୟାଡ ନିର୍ମାଣ, ସୁରକ୍ଷା ବ୍ୟବସ୍ଥା ନିଜେ ଏସପି ତଦାରଖ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା. ବିଧାୟକ ରାଜେନ୍ଦ୍ର ସାହୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅଢେଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବେଗୁନିଆ ଗସ୍ତରେ ଯାଉଥିବାରୁ ଖୁସି ଅଛନ୍ତି ବିଜେଡି କର୍ମୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୁଇ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।
