ଡବ୍ଲୁଟିସି ପଏଂଟ ଟେବୁଲ : ଭାରତ ଓ ପାକିସ୍ତାନକୁ ପଛରେ ପକାଇ ଉପରକୁ ଉଠିଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ : ନୂଆ ଅଧିନାୟକ ପ୍ୟାଟ୍ କମିନସ୍ଙ୍କ ନତେୃତ୍ୱରେ ଆସେସ୍ ସିରିଜର ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ଅଷ୍ଟ୍ରେଲିଆ । ବ୍ରିସବେନ୍ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ୯ ୱିକେଟରେ ହରାଇଛି କଙ୍ଗାରୁ ଟିମ । ଚତୁର୍ଥ ଦିନରେ ଇଂଲଣ୍ଡ ୨୯୭ରନରେ ଅଲଆଉଟ ହୋଇଯାଇଥିଲା । ଯାହା ଫଳରେ ଅଷ୍ଟ୍ରେଲିଆକୁ ମାତ୍ର ୨୦ରନର ବିଜୟଲକ୍ଷ୍ୟ ମିଳିଥିଲା । ସଜହ ବିଜୟ ସହ ୧-୦ରେ ଆଗୁଆ ହୋଇଯାଇଛି କଙ୍ଗାରୁ ବାହିନୀ ।
ଆସେସ୍ ସିରିଜରେ ପ୍ରଥମ ଟେଷ୍ଟ ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଂଟ ଟେବୁଲରେ ଲମ୍ବା ଲମ୍ପ ଦେଇଛି ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚ ଜିତି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଂଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି ପ୍ୟାଟ୍ କମିନସ୍ଙ୍କ ଟିମ । ଭାରତ ଏବଂ ପାକିସ୍ତାନକୁ ପଛରେ ପକାଇଛି କଙ୍ଗାରୁ ଟିମ । ପଏଂଟ ଟେବୁଲର ଶୀର୍ଷରେ ରହିଛି ଶ୍ରୀଲଙ୍କା । ତେବେ ଉଭୟ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କାର ପର୍ସେେଂଟଜ୍ ଅଫ୍ ପଏଂଟସ୍ ବରାବର ରହିଛି । ଅନ୍ୟପଟେ କେବଳ ପଏଂଟ କଥା କହିବାକୁ ଗଲେ ଭାରତ ସବୁଠାରୁ ଅଧିକ ପାଇଛି । ଟିମ ଇଣ୍ଡିଆ ନିକଟରେ ଏବେ ମୋଟ ୪୨ ପଏଂଟ ରହିଛି । କିନ୍ତୁ ଦଳ ଏବେ ପଏଂଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ଭାରତ ତଳକୁ ୱେଷ୍ଟ ଇଣ୍ଡିଜ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ରହିଛନ୍ତି । ଏମାନଙ୍କର ପଏଂଟ ଯଥାକ୍ରମେ ୧୨,୧୪ ଏବଂ ୪ ରହିଛି ।
