ଏସିଆନ୍ ରୋଇଂ ଚାମ୍ପିଅନ୍ଶିପ୍ : ଡବଲ୍ ସ୍କଲ୍ରେ ଅର୍ଜୁନ୍ ଓ ରବିଙ୍କୁ ସ୍ୱର୍ଣ୍ଣ
ବ୍ୟାଙ୍କକ୍ : ଭାରତର ଅର୍ଜୁନ ଲାଲ୍ ଜାଟ୍ ଓ ରବି ଥାଇଲାଣ୍ଡରେ ଚାଲିଥିବା ଏସିଆନ୍ ରୋଇଂ ଚାମ୍ପିଅନ୍ଶିପ୍ ୨୦୨୧ର ପୁରୁଷ ଡବଲ୍ ସ୍କଲ୍ସ ଇଭେଣ୍ଟ୍ରେ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରୟୋଙ୍ଗ ରୟାଲ୍ ଥାଇ ନେଭି ରୋଇଂ ସେଣ୍ଟ୍ରେ ଚାଲିଥିବା ପ୍ରତିଯୋଗିତାରେ ଭାରତୀୟ ରୋୟର୍ ଚୀନ୍ର କ୍ୱିଙ୍ଗ୍ ଲି-ଲୁଟଙ୍ଗ୍ ଝାଙ୍ଗ୍ ଓ ଉଜ୍ବେକିସ୍ତାନ ଯୋଡ଼ି ଡାଭ୍ର୍ଜୋନ୍ ହାଭ୍ରୋନୋଭ୍-ଅବ୍ଦୁଲୋ ମୁଖାମ୍ମାଦିଏଭ୍ଙ୍କୁ ହରାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଭାରତୀୟ ଯୋଡ଼ି ୬:୫୭.୮୮୩ ସମୟ ନେଇଥିବା ବେଳେ ଚୀନା ଯୋଡ଼ି ୭:୦୨.୩୭୪ ସହିତ ରୌପ୍ୟ ଓ ଉଜ୍ବେକ୍ ଯୋଡ଼ି ୭:୦୭.୭୭୩ ସମୟ ସହ ବ୍ରୋଞ୍ଜ୍ ପଦକ ଜିତିଥିଲେ।
ଏହାପରେ ଭାରତର ପରମିନ୍ଦର ସିଂହ ପୁରୁଷ ସିଙ୍ଗଲ୍ସ ସ୍କଲ୍ସରେ ରୌପ୍ୟ ପଦକ ଜିତିଥିଲେ। ପରମିନ୍ଦର ୮:୦୭.୩୨୩ ସମୟ ସହ ରେସ୍ ଶେଷ କରିଥିବା ବେଳେ ଉଜ୍ବେକି୍ତାନର ଖୋଲ୍ମୁର୍ଜାଏଭ୍ ଶାଖ୍ବୋଭ୍ ୭:୫୬.୩୦୭ ସମୟ ସହ ସ୍ୱର୍ଣ୍ଣ ଏବଂ ଇଣ୍ଡୋନେସିଆର ମେମୋ (୮:୧୦.୦୫୫)ଙ୍କୁ ବ୍ରୋଞ୍ଜ୍ ପଦକ ମିଳିଥିଲା। ରବିବାର ଅନୁଷ୍ଠିତ ହେବାକୁ ଥିବା ଆଉ ପାଞ୍ଚଟି ଇଭେଣ୍ଟ୍ର ଫାଇନାଲ୍ରେ ଭାରତୀୟ ରୋୟର୍ ପ୍ରତିଯୋଗିତା କରିବେ।
