‘ପିନାକ’ ରକେଟ୍ର ସଫଳ ପରୀକ୍ଷଣ, ଶତ୍ରୁପକ୍ଷରୁ ଯେକୌଣସି ଟାର୍ଗେଟକୁ କରିପାରିବ ଭେଦ
ପୁଣେ : ରାଜସ୍ଥାନର ପୋଖରାନ୍ ଠାରେ ପିନାକ ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର୍ସ ସିଷ୍ଟମର ସଫଳ ପରୀକ୍ଷଣ ହୋଇଯାଇଛି। ଏକାସାଙ୍ଗରେ ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର୍ସରୁ ୨୫ଟି ରକେଟ୍ ନିକ୍ଷେପ କରାଯାଇଥିବାବେଳେ ସବୁଗୁଡିକ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିବା କୁହାଯାଇଛି। ପିନାକ ରକେଟ୍ର ଏହି ନୂଆ ସଂସ୍କରଣ ୪୫ କିମି ଦୂରତ୍ୱ ମଧ୍ୟରେ ଶତ୍ରୁପକ୍ଷରୁ ଯେକୌଣସି ଟାର୍ଗେଟକୁ ଭେଦ କରିପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସୂଚନା ଯେ, ଡିଆରଡିଓ ଓ ପୁଣେସ୍ଥିତ ହାଇ ଏନର୍ଜି ମେଟେରିଆଲ୍ସ ରିସର୍ଚ୍ଚ ଲାବୋରେଟୋରୀର ମିଳିତ ସହଯୋଗରେ ଏହି ରକେଟ୍ର ମାରକ କ୍ଷମତାକୁ ବୃଦ୍ଧି କରାଯାଇଛି। ଚଳିତବର୍ଷ ଜୁନ୍ରେ ଓଡ଼ିଶାର ଚାନ୍ଦିପୁରରେ ପିନାକ ରକେଟ୍ର ସଂପ୍ରସାରିତ ସଂସ୍କରଣକୁ ସଫଳଭାବେ ପରୀକ୍ଷଣ କରାଯାଇଥିଲା।
