ହେଲପିଂ ସୋସାଇଟିର ରାଜ୍ୟସ୍ତରୀୟ ସଂଘର୍ଷ କାର୍ଯ୍ୟକ୍ରମ : ଶୃଙ୍ଖଳିତ ରାଜନୀତି ଯୁବଗୋଷ୍ଠୀଙ୍କ ଲକ୍ଷ୍ୟ ହେଉ
ବାଲେଶ୍ୱର : ସୁସ୍ଥ ରାଜନୀତି ପ୍ରତି ଯୁବଗୋଷ୍ଠୀ ଆକୃଷ୍ଟ ହୁଅନ୍ତୁ । ଶୃଙ୍ଖଳିତ ରାଜନୀତି ସେମାନଙ୍କ ଲକ୍ଷ୍ୟ ହେଉ । ପ୍ରତିବଦ୍ଧତା, ସାହସ, ଚତୁରତାକୁ ସେମାନେ ରାଜନୀତିରେ ବ୍ୟବହାର କରନ୍ତୁ । ଯୁବ ସମାଜ ଦେଶର ଭବିଷ୍ୟତ । ରାଜନୀତି ମାଧ୍ୟମରେ ଜନସେବା କରିବା ସେମାନଙ୍କ ଜୀବନର ବ୍ରତ ହେଉ। ବିଫଳତା ଭିତରେ ହିଁ ସଫଳତା ଆସେ । ଦୁର୍ଯ୍ୟୋଗ ସୁଯୋଗର ବାଟ ଫିଟାଏ। ସବୁଥିରେ ସଫଳତା, ବିଫଳତା ଅଛି। ରାଜନୀତିରେ ବିଫଳତାକୁ ନେଇ ସେମାନେ ଚୁପ୍ ହୋଇ ବସିଯିବା ଅନୁଚିତ। ଦୃଢ ମନୋବଳ ନେଇ ଯୁବଗୋଷ୍ଠୀ ରାଜନୀତିରେ ପ୍ରବେଶ କରନ୍ତୁ ବୋଲି ଶନିବାର ସାମାଜିକ ସଙ୍ଗଠନ ହେଲପିଂ ସୋସାଇଟି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ‘ସଂଘର୍ଷ’ରେ ଯୋଗଦେଇ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ।
ସନ୍ଧ୍ୟାରେ ସ୍ଥାନୀୟ ଫାଣ୍ଟାସି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ସଙ୍ଗଠନର ଉପଦେଷ୍ଟା ତଥା ଛାତ୍ରନେତା ସିମନ ଦାସମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ‘ରାଜନୀତି ଓ ନିର୍ଣ୍ଣୟ ପ୍ରକ୍ରିୟାରେ ଯୁବ ସମାଜର ଭୂମିକା’ ଶୀର୍ଷକ ସଂପର୍କରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ସତ୍ୟଜିତ୍ ମିଶ୍ର, ଏଫଏମ୍ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଡ. ରାମକୃଷ୍ଣ ପ୍ରଧାନ, ‘ପ୍ରମେୟ’ର ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ସତ୍ୟଶିବ ଦାସ, କବି ପ୍ରଶାନ୍ତ ଦାସ ଯୋଗ ଦେଇ ରାଜନୀତି ଉପରେ ଯୁବଗୋଷ୍ଠୀଙ୍କ ଦାୟିତ୍ବବୋଧ ଉପରେ ନିଜସ୍ବ ମତ ରଖିଥିଲେ।
ପୂର୍ବରୁ ଆୟୋଜିତ ‘ ରାଜନୀତି ଓ ନିଶ୍ଚୟ ପ୍ରକ୍ରିୟାରେ ଯୁବ ସମାଜର ଭୂମିକା’ ଶୀର୍ଷକରେ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରାଶାସନିକ ଯୁବ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଙ୍ଗଠନ ସଭାପତି ହ୍ରିତିକ୍ ନାୟକ, ଛାତ୍ରନେତା ରଶ୍ମିରଞ୍ଜନ ପ୍ରଧାନ, ଲକ୍ଷ୍ମୀନରାୟଣ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




