ମୁଦ୍ରାନୀତି ସମୀକ୍ଷା ବୈଠକ : ୪%ରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ମୁମ୍ବାଇ : ପୁଣିଥରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ୪%ରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ । ଦେଶରେ ଓମିକ୍ରନ ଭାରିଆଣ୍ଟର ଭୟାବହତା ମଧ୍ୟରେ କ୍ରମାଗତ ଅଭିବୃଦ୍ଧି ଏବଂ ଏକ ସ୍ଥାୟୀ ଅର୍ଥନୈତିକ ପୁନରୁଦ୍ଧାରକୁ ସମର୍ଥନ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ । ବୁଧବାର ଏଫୱାଇ୨୨ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ଏନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି କମିଟି ବାଣିଜ୍ୟିକ ବ୍ୟାଙ୍କଗୁଡିକୁ ରେପୋ ରେଟ୍ ବା ସ୍ବଳ୍ପମିଆଦି ଋଣହାରକୁ ୪ ପ୍ରତିଶତରେ ବଜାୟ ରଖିବାକୁ ମତସାବ୍ୟସ୍ତ କରିଛି । ଏହାକୁ ମିଶାଇ କ୍ରମାଗତ ୯ମ ଥର ପାଇଁ ଅପରିବର୍ତ୍ତିତ ରହିଛି ରେଟ୍ । ଏହିପରି ରିଭର୍ସ ରେପୋ ରେଟ୍ ୩.୩୫%ରେ ଅପରିବର୍ତ୍ତିତ ରଖାଯାଇଥିବା ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ରେଟ୍ ଓ ବ୍ୟାଙ୍କ ରେଟ୍ ମଧ୍ୟ ୪.୨୫%ରେ ରହିଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଏହାବ୍ୟତୀତ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ଅନୁମାନକୁ ୯.୫%ରେ ସ୍ଥିର ରଖିଛି । ଏହା ସଙ୍ଗେ ସଙ୍ଗେ ମୁଦ୍ରାସ୍ଫୀତି ୫.୩% ନେଇ ଆକଳନ କରିଛି ଆରବିଆଇ ।
