ସଂସଦ ଶୀତ ଅଧିବେଶନ : ଆଜି ସିବିଆଇ ଓ ଇଡ଼ି ମୁଖ୍ୟଙ୍କୁ ନେଇ କମ୍ପିବ ସଂସଦ
ନୂଆଦିଲ୍ଲୀ : ଆଜି ସଂସଦ ଶୀତ ଅଧିବେଶନର ଦଶମ ଦିନ । ଆଜି କିଛି ବିଲକୁ ନେଇ କମ୍ପିପାରେ ଗୃହ । ବିଶେଷ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତରେ ଥିବା ବିଲ ଉପରେ ଲୋକସଭାରେ ଆଲୋଚନା ହୋଇପାରେ । ଏହାବାଦ ରାଜ୍ୟ ସଭାରେ ବିରୋଧୀ ଦଳ ସାଂସଦ ୧୨ ନିଲମ୍ବିତ ସାଂସଦ ଘଟଣାକୁ ବିରୋଧ କରି ଦିନ ତମାମ ଧାରଣା ଦେବାକୁ ଯୋଜନା କରୁଛନ୍ତି ।
ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କେନ୍ଦ୍ର ଭିଜିଲାନ୍ସ କମିଶନ ଆମେଣ୍ଡମେଣ୍ଟ ବିଲ୍ ୨୦୨୧ ଏବଂ ଦିଲ୍ଲୀ ସ୍ପେସିଆଲ ପୋଲିସ ଏଷ୍ଟାବ୍ଲିସ୍ ଆମେଣ୍ଡମେଣ୍ଟ ବିଲ ୨୦୨୧ ଉପସ୍ଥାପନ କରିଥିଲେ। ବିରୋଧୀ ଏହି ବିଲକୁ ବିରୋଧ କରି ଅଗଣତାନ୍ତ୍ରିକ ବୋଲି କହିଛନ୍ତି । ଦୁଇ ବିଲ ପଛରେ ସରକାରଙ୍କ ସ୍ବାର୍ଥ ରହିଥିବା କହିଛି ବିରୋଧୀ । କଂଗ୍ରେସ ଏବଂ ଟିଏମସି ପରି ଦଳ କାର୍ଯ୍ୟକାଳ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିରୋଧ କରିବେ। ୨୪ ଜଣ ବିରୋଧୀ ସାଂସଦ ଏହି ବିଲ୍ ଉପରେ ବୈଧାନକି ସଂକଳ୍ପ ନେଇସାରିଛନ୍ତି । ପୂର୍ବରୁ ଏହି ବିଲକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ରଣଦୀପ ସୁରଜୱାଲା ସୁପ୍ରିମକୋର୍ଟ ଯାଇଛନ୍ତି ।
କେନ୍ଦ୍ର ସରକାର ସିବିଆଇ ଏବଂ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି କରିବାକୁ ଚାହୁଁଛନ୍ତି। ନଭେମ୍ବର ୨୯ରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ୨୦୨୧ ନାମକ ଏହି ନିୟମକୁ କେନ୍ଦ୍ର ସରକାର ଆଣିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଧ୍ୟାଦେଶକୁ ମଞ୍ଜୁର କରିଛନ୍ତି । ଲୋକସଭାରେ ବିଜେପି ନେତୃତ୍ବାଧୀନ ସରକାରଙ୍କ ସଂଖ୍ୟା ରହିଛି ତେଣୁ ବିରୋଧ ସତ୍ତ୍ବେ ଏହି ଦୁଇଟି ବିଲ୍ ପାରିତ ହେବ ବୋଲି ଆଶା କରାଯାଉଛି। ଏହାବାଦ ଆଜି ଲୋକସଭାରେ ହୋହାଲ୍ଲା ଓ ବିରୋଧୀଙ୍କ ଦ୍ବାରା ଧାରଣା ଦେବାର ଆଶଙ୍କା କରାଯାଉଛି ।
