କରୋନା କ୍ଷତିପୂରଣ ପ୍ରଦାନରେ ବିଳମ୍ବ ପାଇଁ ରାଜ୍ୟମାନଙ୍କୁ ସୁପ୍ରିମ୍କୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ : କରୋନା ମୃତକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବାରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକ ଉପରେ ପ୍ରବଳ ବର୍ଷିଛନ୍ତି। କୋର୍ଟ ସୋମବାର ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କୋଭିଡ ମୃତକଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ସୁପ୍ରିମକୋର୍ଟ ଗତ ଅକ୍ଟୋବରରେ ସ୍ବୀକୃତି ଦେଇଥିଲେ। କିନ୍ତୁ ରାଜ୍ୟମାନଙ୍କ ଦ୍ବାରା ଏଯାବତ୍ ତାହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇନାହିଁ।
ଜଷ୍ଟିସ ଏମ୍ଆର ଶାହ ଏବଂ ବିଭି ନାଗରତ୍ନା ଏହି ମାମଲାର ଶୁଣାଣି କରି କହିଛନ୍ତି, ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ସତ୍ୟପାଠରେ ଆମେ ଆଦୌ ସନ୍ତୁଷ୍ଟ ନୁହେଁ। ମହାରାଷ୍ଟ୍ରରେ ୧ ଲକ୍ଷରୁ ଅଧିକ କୋରୋନା ମୃତ୍ୟୁ ହୋଇଛି କିନ୍ତୁ କୋଭିଡ୍ କ୍ଷତିପୂରଣ ପାଇବା ପାଇଁ ମାତ୍ର ୩୭ ହଜାର ଆବେଦନ ଗ୍ରହଣ ହୋଇଛି। ଏଯାବତ୍ କୌଣସି ଜଣେ ମୃତକଙ୍କ ପରିବାର ସଦସ୍ୟ କ୍ଷତିପୂରଣ ପାଇନାହାନ୍ତି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ଗ୍ରହଣୀୟ ନୁହେଁ ବୋଲି ଜଷ୍ଟିସ ଶାହ କହିଛନ୍ତି। ସୋମବାର ଦିନ ଶୁଣାଣି ସମୟରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଓକିଲ ସଚିନ ପାଟିଲ କୋର୍ଟରେ ହାଜର ହୋଇ କ୍ଷତିପୂରଣ ବଣ୍ଟନ ପାଇଁ ଅଧିକ ସମୟ ମାଗିଥିଲେ। ଏନେଇ ଖୁବ୍ଶୀଘ୍ର ଏକ ସତ୍ୟପାଠ ଦାଖଲ ହେବ ବୋଲି ମହାରାଷ୍ଟ୍ର ସରକାରଙ୍କ ଓକିଲ କହିଥିଲେ। କିନ୍ତୁ କୋର୍ଟ ଚେତାଇ ଦେଇଥିଲେ। ଜଷ୍ଟିସ ଶାହ କହିଥିଲେ, ରାଜ୍ୟ ସରକାରଙ୍କ ବିରୋଧରେ କଡ଼ା ନିର୍ଦେଶ ଦିଆଯିବ। ମହାରାଷ୍ଟ୍ର ସରକାର ତୁରନ୍ତ ଏହି କ୍ଷତିପୂରଣ ଟଙ୍କା ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
ସେହିପରି କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗରେ ୧୯ ହଜାରରୁ ଅଧିକ କୋରୋନା ମୃତ୍ୟୁ ହୋଇଛି। କିନ୍ତୁ କ୍ଷତିପୂରଣ ପାଇଁ ୪୬୮ ଆବେଦନ ଗ୍ରହଣ ହୋଇଛି। ଏଥିମଧ୍ୟରୁ ମାତ୍ର ୧୧୦ ଜଣଙ୍କୁ କ୍ଷତିପୂରଣ ଦିଆଯାଇଛି। ସେହିପରି ରାଜସ୍ଥାନରେ ପାଖାପାଖି ୯ ହଜାର କୋରୋନା ମୃତ୍ୟୁ ହୋଇଥିବାବେଳେ କୋଭିଡ୍ କ୍ଷତିପୂରଣ ପାଇଁ ୫୯୫ ଆବେଦନ ଗ୍ରହଣ ହୋଇଛି। କିନ୍ତୁ କ୍ଷତିପୂରଣ କାହାକୁ ଦିଆଯାଇନାହିଁ। ଆଜି ଶୁଣାଣି ସମୟରେ କୋର୍ଟ ରାଜସ୍ଥାନ ସରକାରଙ୍କ ଓକିଲଙ୍କ ଉପରେ ବର୍ଷିଥିଲେ। ରାଜସ୍ଥାନ ସରକାର ମାନବିକତା ରଖିବାପାଇଁ କୋର୍ଟ କହିଥିଲେ। ଅଧିକରୁ ଅଧିକ ଲୋକଙ୍କୁ ଏହି କୋଭିଡ କ୍ଷତିପୂରଣ ଯୋଜନା ସଂକ୍ରାନ୍ତରେ ଜଣାଇବା ପାଇଁ ରାଜ୍ୟମାନେ ଖବରକାଗଜ, ଟିଭି ଏବଂ ରେଡିଓ କାର୍ଯ୍ୟକ୍ରମରେ ଅଧିକ ପ୍ରଚାର ପ୍ରସାର କରିବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି। ଉକ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ ତାରିଖରେ ହେବ।
