ତାମିଲନାଡୁରୁ ଉଦ୍ଧାର ହେଲେ ନିଖୋଜ ୩ଛାତ୍ର
ବାଲେଶ୍ୱର : ତାମିଲନାଡୁରୁ ଉଦ୍ଧାର ହେଲେ ନିଖୋଜ ହୋଇଥିବା ୩ଛାତ୍ର । ଗତ ୩ ତାରିଖରେ ଟ୍ୟୁସନ ହେବାକୁ ଯାଇ ନିଖୋଜ ହୋଇଯାଇଥିଲେ ଏହି ୩ଛାତ୍ର । ୩ଜଣ ଛାତ୍ର ହେଉଛନ୍ତି ବାଲେଶ୍ୱର ଜିଲା ବାହାନଗା ସରସତିଆ ଅଞ୍ଚଳର କୌଶଲ୍ୟା ସାହୁଙ୍କ ନାବାଳକ ପୁଅ ତୃପ୍ତି ରଞ୍ଜନ ଓ ତା’ର ଅନ୍ୟ ଦୁଇ ଜଣ ସାଥୀ ରଞ୍ଜନ ମହାନ୍ତି ଓ ଦେବଦାସ ବାରିକ ।
ସୂଚନା ଯେ, ଗତ ୩ ତାରିଖରେ ଟ୍ୟୁସନ ପଢିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ଏହି ତିନି ଛାତ୍ର । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ପିଲାମାନଙ୍କର କୌଣସି ସନ୍ଧାନ ପାଇନଥିଲେ। ସେହି ଦିନ ସନ୍ଧ୍ୟାରେ ରଞ୍ଜନ ତା’ର ଭାଇ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ କରି ତାକୁ ଆଉ ନଖୋଜିବାକୁ କହିଥିଲା । ପିଲାଟିକୁ ତା’ର ଭାଇ କେଉଁ ଆଡେ ଯାଉଛ ଓ କେଉଁ ଟ୍ରେନର ବସିଛ ବୋଲି ପ୍ରଶ୍ନ କରିଥିଲେ ବି ପିଲାଟି କିଛି ଉତ୍ତର ନ ଦେଇ ଆଉ ସେହି ନମ୍ବରରେ ଫୋନ ନକରିବାକୁ କହିଥିଲା । ପରେ ପରିବାର ଲୋକ ସେହି ମୋବାଇଲ ନମ୍ବରକୁ ଫୋନ୍ କରିଥିଲେ । ଜଣେ ଅଣ ଓଡିଆ ଲୋକ ଫୋନ୍ ଉଠାଇଥିଲେ । କେଉଁଠାକୁ ଯାଉଛ ପ୍ରଶ୍ନ କରିବାରୁ ବେଙ୍ଗାଲୁରୁ ଯାଉଥିବା କହିଥିବା ବେଳେ କେଉଁ ଟ୍ରେନରେ ଯାଉଥିବା ଜାଣି ନଥିବା କହିଥିଲା ଏବଂ ଫୋନଟି କାଟି ଦେଇ ସୁଇଚ୍ ଅଫ୍ କରିଦେଇଥିଲା । ପରେ ପରିବାର ଲୋକ ଖନ୍ତାପଡା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ପିଲାମାନେ ତାମିଲନାଡୁର ବେଛାପୁରମ୍ ରେଳ ଷ୍ଟେସନରେ ବୁଲୁଥିବା ବେଳେ ଷ୍ଟେସନରେ କାର୍ଯ୍ୟରତ ଆରପିଏଫଙ୍କ ସନ୍ଦେହ ହେବାରୁ ପିଲାମାନଙ୍କୁ ଅଟକାଇ ପଚରାଉଚରା ପରେ ସିଡବ୍ଳ୍ୟୁସିକୁ ହସ୍ତାନ୍ତର କରିଥିଲେ । ପରେ ତାମିଲନାଡୁ ସିଡବ୍ଳ୍ୟୁସି ଖନ୍ତାପଡା ପୋଲିସକୁ ଯୋଗାଯୋଗ କରିଥିଲେ। ଖନ୍ତାପଡା ପୋଲିସ ଛାତ୍ରମାନଙ୍କ ପରିବାର ଲୋକଙ୍କ ସହ ତାମିଲନାଡୁରୁ ଉଦ୍ଧାର କରି ଖନ୍ତାପଡାକୁ ଟ୍ରେନ ଯୋଗେ ଆଣୁଥିବା ଜଣାପଡିଛି ।
