ନାଗାଲାଣ୍ଡ ଗୁଳିକାଣ୍ଡ ସମ୍ପର୍କରେ ଲୋକସଭାରେ ବବୃତ୍ତି ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ, ଭୁଲ ସୂଚନା ପାଇଁ ଘଟିଛି ଅଘଟଣ
କୋହିମା : ନାଗାଲାଣ୍ଡରେ ସୁରକ୍ଷାବଳର ଏନକାଉଣ୍ଟରରେ ୧୪ ସାଧାରଣ ଲୋକ ପ୍ରାଣ ହରାଇବା ଘଟଣାରେ ସଂସଦରେ ଉତ୍ତର ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀ କହିଛନ୍ତି ଭୁଲ ସୂଚନା ଯୋଗୁ ଆତଙ୍କୀ ନିରୋଧୀ ଅଭିଯାନରେ ଏପରି ତ୍ରୁଟି ସାମ୍ନାକୁ ଆସିଛି । ସମ୍ପୂର୍ଣ୍ଣ ଅପରେସନ ସମ୍ପର୍କରେ ସୂଚନା ଦେଇ ଶାହ କହିଛନ୍ତି, ଓଟିଙ୍ଗରେ ଉଗ୍ରବାଦୀଙ୍କ ଗତିବିଧି ବିଷୟରେ ସେନା ସୂଚନା ପାଇବା ପରେ ୨୧ କମାଣ୍ଡୋ ଏହି ଅଭିଯାନ ଆରମ୍ଭ କରିଥିଲେ । ଗ୍ରାମବାସୀ ଏକ ଗାଡିରେ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଆତଙ୍କୀ ଭାବି ପ୍ରଥମେ ସୁରକ୍ଷା ବଳ ସେମାନଙ୍କୁ ଚେତାବନୀ ଦେଇଥିଲା । ଏହାକୁ ଅଟକାଇବାକୁ ସଙ୍କେତ ଦିଆଯାଇଥିଲା ସୁଦ୍ଧା ଏହା ଖସିଯିବାକୁ ଚେଷ୍ଟା କରିବାରୁ ଉଗ୍ରବାଦୀ ଗାଡିରେଥିବା ସନ୍ଦେହରେ ଏହା ଉପରେ ଗୁଳି ଚଳାଇଥିଲା ସୁରକ୍ଷା ବଳ ।
ସେନା ଗୁଳିରେ ଉକ୍ତ ଗାଡିରେ ଥିବା ୮ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ତ୍ରୁଟି ହୋଇଥିବା ନେଇ ଜଣା ପଡିବା ପରେ ଅନ୍ୟ ଦୁଇ ଆହତଙ୍କୁ ମଧ୍ୟ ସେନା ପକ୍ଷରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଗ୍ରାମବାସୀ ପହଞ୍ଚି ସେନା ଟିମକୁ ଆକ୍ରମଣ କରିବା ସହ ଗାଡିରେ ନିଆଁ ଲଗାଇଦେଇଥିଲେ । ଏଥିରେ ମଧ୍ୟ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଫଳସ୍ବରୂପ, ସୁରକ୍ଷା ବାହିନୀର ଜଣେ ଯବାନ ଶହୀଦ ହୋଇଥିବା ବେଳେ ଅନେକ ଯବାନ ଆହତ ହୋଇଥିଲେ । ସୁରକ୍ଷା ବାହିନୀକୁ ଆତ୍ମରକ୍ଷା ତଥା ଭିଡ ଏଡାଇବା ପାଇଁ ଗୁଳି ଚଳାଇବାକୁ ପଡିଥିଲା । ଫଳରେ ଆଉ ୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କେତେକ ଆହତ ହୋଇଥିଲେ । ପରିସ୍ଥିତିକୁ ସ୍ବାଭାବିକ କରିବାକୁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ସେଠାରେ ତତ୍କାଳ ପହଞ୍ଚିଥିଲେ । ଗୃହମନ୍ତ୍ରୀଙ୍କ ଉତ୍ତର ପରେ ବିରୋଧୀ ହୋହାଲ୍ଲା କରିବା ସହ କକ୍ଷତ୍ୟାଗ କରିଥିଲେ ।
