ଆମ୍ବେଦକରଙ୍କ ୬୫ତମ ମହାପରିନିର୍ବାଣ ଦିବସ : ଆରମ୍ଭ ହେବ ‘ଶ୍ରେଷ୍ଠା’ ଯୋଜନା, ଉପକୃତ ହେବେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ଭୀମରାଓ ରାମଜୀ ଆମ୍ବେଦକର, ଯିଏ ବାବାସାହେବ ଆମ୍ବେଦକର ନାମରେ ପରିଚିତ। ଆମ୍ବେଦକର ଭାରତର ସମ୍ବିଧାନ ନିର୍ମାଣର ମୁଖ୍ୟ ଶିଳ୍ପୀ, ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ, ଶିକ୍ଷାବିତ, ଆଇନଜୀବୀ, ଅର୍ଥନୀତିଜ୍ଞ, ରାଜନେତା ଏବଂ ସାମାଜିକ ସଂସ୍କାରକ ଥିଲେ। ସେ ଦଳିତ, ଶ୍ରମିକ, କୃଷକ ଏବଂ ମହିଳା ସମସ୍ତଙ୍କ ଅଧିକାର ପାଇଁ ଲଢେଇ କରିଥିଲେ। ସୋମବାର ତାଙ୍କର ୬୫ତମ ଶ୍ରାଦ୍ଧ ବାର୍ଷିକୀ, ଏହାକୁ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ମଧ୍ୟ କୁହାଯାଏ। ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଅବସରରେ କେନ୍ଦ୍ର ସରକାର ଶ୍ରେଷ୍ଠା ନାମକ ଏକ ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି।
କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ବାବାସାହେବ ଡକ୍ଟର ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଅବସରରେ ଶ୍ରେଷ୍ଠାା ନାମକ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡ଼. ବିରେନ୍ଦ୍ର କୁମାରଙ୍କ କହିବାନୁସାରେ, ଅନୁସୂଚିତ ଜାତି ସମ୍ପ୍ରଦାୟର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହି ଯୋଜନା ମାଧ୍ୟମରେ ଶ୍ରେଷ୍ଠା ବିଦ୍ୟାଳୟରେ ଉତ୍ତମ ଶିକ୍ଷା ଦିଆଯିବ। ଡିସେମ୍ବର ୬ରେ ବାବାସାହେବଙ୍କ ଶ୍ରଦ୍ଧାଞ୍ଜଳିରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଗୁରୁବାର କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ।
ମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅଧୀନରେ ଶ୍ରେଷ୍ଠା ଯୋଜନା ୬ ଡିସେମ୍ବରରେ କାର୍ଯ୍ୟକାରୀ ହେବ। ଏହି ଯୋଜନା ଅଧୀନରେ ବେସରକାରୀ ଅନୁଷ୍ଠାନ ସମେତ ଚିହ୍ନିତ ଅଞ୍ଚଳର ପ୍ରତିଷ୍ଠିତ ବିଦ୍ୟାଳୟରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ଆଡମିଶନ ପାଇଁ ବ୍ୟବସ୍ଥା କରାଯିବ। ଏହି ଯୋଜନା ଦେଶର ୧୧୨ ଅନୁସୂଚିତ ଜାତି ପ୍ରାଧାନ୍ୟ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ପ୍ରାରମ୍ଭରେ ୨୪୮୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ୩୦୦ କୋଟି ଟଙ୍କା ବ୍ୟୟରେ ସହାୟତା ଯୋଗାଇ ଦିଆଯିବ।
୨୦୨୦ରୁ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ବଣ୍ଟନ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ସରକାର ୬୦ ପ୍ରତିଶତ ଏବଂ ରାଜ୍ୟ ସରକାର ଏହାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ୭ ଡିସେମ୍ବର ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରର ଉଦଘାଟନ କରିଥିଲେ। ସେ ତାଙ୍କ ସମ୍ବୋଧନରେ କହିଥିଲେ ଯେ, ଏହି କେନ୍ଦ୍ର ଡକ୍ଟର ଆମ୍ବେଦକରଙ୍କ ଚିନ୍ତାଧାରାକୁ ଆଗକୁ ବଢାଇବା ସହିତ ସାମାଜିକ ତଥା ଅର୍ଥନୈତିକ ପ୍ରସଙ୍ଗ ଉପରେ ଗବେଷଣା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେବ। ଆଶ୍ଚର୍ଯ୍ୟର କଥା, ରାସ୍ତାକଡରେ ଆମ୍ବେଦକରଙ୍କ ସହ ଜଡିତ ପୁସ୍ତକ ମିଳୁଛି କିନ୍ତୁ ଏଠାରେ ଥିବା ଲାଇବ୍ରେରୀରେ ଡ. ଆମ୍ବେଦକରଙ୍କ ସାହିତ୍ୟର ଏକ ବଡ଼ ଅଭାବ ରହିଛି। ସେପଟେ ସାହିତ୍ୟର କୌଣସି ଅଭାବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ବିରେନ୍ଦ୍ର କୁମାର କହିଛନ୍ତି।
ଏହି ସମୟରେ, ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ଗୋଟିଏ ପଟେ ବାବାସାହେବ ୬ ଡିସେମ୍ବରରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାବେଳେ ଅନ୍ୟ ପଟେ ଏହି ଦିନକୁ କଳା ଦିବସ ଭାବରେ ପାଳନ କରାଯାଏ, ସେ ଏ ବିଷୟରେ କହିବାକୁ ଏଡ଼ାଇ ଯାଇଥିଲେ। ଅନୁସୂଚିତ ଜାତିର ଖାଲି ପଦବୀରେ ନିଯୁକ୍ତି ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ଏହା ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହାର ସମୀକ୍ଷା କରାଯାଇଛି। ଏ ବାବଦରେ ରାଜ୍ୟ ଏବଂ ମନ୍ତ୍ରଣାଳୟର ମଧ୍ୟ ପରାମର୍ଶ ଦିଆଯାଇଛି।
