ମାଟିର ଲବଣତାକୁ ପ୍ରତିରୋଧ କରି ଉର୍ବରତା ବୃଦ୍ଧି କରିବା ଅତ୍ୟନ୍ତ ଜୁରୁରୀ: ମନ୍ତ୍ରୀ
ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ବିଶ୍ୱ ମୃତିକା ଦିବସ ସ୍ଥାନୀୟ କୃଷି ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଆଭାସୀରେ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଓୟୁଏଟିର କୁଳପତି ଡ. ପବନ କୁମାର ଅଗ୍ରୱାଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ରୋହିତ କୁମାର ଲେଙ୍କା ଯୋଗଦାନ କରି ବିଶ୍ୱ ମୃତିକା ଦିବସର ଉପାଦେୟତା ତଥା ଚଳିତ ବର୍ଷର ବାର୍ତା ‘ମୃତିକା ଲବଣତାର ପ୍ରତିରୋଧ ଓ ଏହାର ଉତ୍ପାଦିକା ଶକ୍ତି ବୃଦ୍ଧି’ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ଓୟୁଏଟିର କୁଳପତି ଡ. ଅଗ୍ରୱାଲ କହିଥିଲେ ମାଟିର ସୁସ୍ଥତା ବଜାୟ ରଖିବା ପାଇଁ ପ୍ରକୃତି ଓ ପୂର୍ବପୁରୁଷମାନେ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଯଥା-ଜଳପରିଚାଳନା, ଫସଲ କିସମ ପରିଚାଳନା, ମାଟିରେ ଜୈବିକ ଅଙ୍ଗାର ବୃଦ୍ଧି ପାଇଁ ଗୋବର ଖତ ଆଦି ଯୋଗାଇ ମାଟିର ସୁସ୍ଥତା ବଜାୟ ରଖୁଥିଲେ । ଏହି ପରିସରରେ ବର୍ତମାନର ଆହ୍ୱାନ ଅନୁସାରେ ମୃତିକା ଲବଣତାର ହ୍ରାସ ଓ ମାଟିର ଉତ୍ପାଦିକା ଶକ୍ତି ବୃଦ୍ଧି କରିବାକୁ ହେଲେ ପ୍ରଥମେ ପ୍ରତିଷେଧକ ବ୍ୟବସ୍ଥା, ମାଟିର ସ୍ୱାସ୍ଥ୍ୟ ପରିଚାଳନା ଯୋଜନା ଏବଂ ମାଟିର ସୋଧନ ଓ ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ମାଟି ଆମର ମେରୁଦଣ୍ଡ । ତେଣୁ ଏହାର ସୁରକ୍ଷା ପାଇଁ ବର୍ଷ ତମାମ କାର୍ଯ୍ୟକ୍ରମ ଓ ଚାଷୀମାନଙ୍କ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଦରକାର । ଏହା ପରେ ଅତିଥିମାନଙ୍କ ଦ୍ୱାରା ମୃତିକା ରସାୟନ ବିଭାଗ, ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ଡ. ସୁବୋଧ କୁମାର ସାହୁଙ୍କ ଲିଖିତ ପୁସ୍ତକ ‘ମୃତିକା’ ଉନ୍ମୋଚନ କରାଯାଇଥିଲା । ଏହି ଉତ୍ସବରେ ଭାଗନେଇ ଡ. ସାହୁ ପୁସ୍ତକ ବିଷୟରେ ସମ୍ୟକ ଆଲୋଚନା କରିଥିଲେ ।
ମନ୍ତ୍ରୀ ଡ. ସାହୁ ନୟାଗଡ଼ରୁ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ମାଟିକୁ ମା’ ସହିତ ତୁଳନା କରିଥିଲେ । ମୁଠାଏ ମାଟି ସୃଷ୍ଟି ହେବା ପାଇଁ ୧୦ ସହସ୍ର ବର୍ଷ ଲାଗିଥାଏ । କିନ୍ତୁ ଆଜି ସେହି ମାଟି ମା’ ଅଯତ୍ନ ଓ ଅବହେଳା ପାଇଁ ଅସୁସ୍ଥ ଓ ରୋଗଗ୍ରସ୍ତ । ସେ ତାଙ୍କ ଅଭିଭାଷଣରେ ମାଟିର ଲବଣତାକୁ ପ୍ରତିରୋଧ କରି ମାଟିର ଉର୍ବରତା ବୃଦ୍ଧି କରିବା ଉପରେ ଏକ ଉଦାହରଣ ଦେଇ କହିଥିଲେ ଯେ ବାଲେଶ୍ୱର ଓ ଭଦ୍ରକରେ ଗତବର୍ଷ ‘ୟାସ୍’ ବାତ୍ୟା ଯୋଗୁଁ ପ୍ରାୟ ୪ ହଜାର ହେକ୍ଟର ଜମିରେ ଲୁଣା ମାଡ଼ି ଯାଇଥିଲା । ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ୨.୫ ଲକ୍ଷ ହେକ୍ଟର ଲବଣାକ୍ତ ସମୁଦ୍ରକୂଳିଆ ଅଂଚଳ ରହିଛି । ଏହି ଅଂଚଳରେ କୃଷିର ଉନ୍ନତି ପାଇଁ ଗବେଷଣା ନିତାନ୍ତ ଦରକାର । ଏଥିପାଇଁ ସେ ଓୟୁଏଟିର କୁଳପତିଙ୍କୁ ପ୍ରଚେଷ୍ଟା କରିବା ପାଇଁ ଅନୁରୋଧ କରିଥିଲେ । ସେ ତାଙ୍କ ଅଭିଭାଷଣରେ ଓୟୁଏଟି, ସୋଆ କୃଷି ବିଶ୍ୱବିଦ୍ୟାଳୟ, ସେଂଚୁରିଆନ୍ କୃଷି ବିଶ୍ୱବିଦ୍ୟାଳୟ, ଶ୍ରୀ ଶ୍ରୀ କୃଷି ବିଶ୍ୱବିଦ୍ୟାଳୟ ଆଦି ସମସ୍ତଙ୍କୁ ଏକତ୍ରିତ କରି ମାଟି ସୁସ୍ଥତା ବିଷୟରେ ଏକ ସମ୍ମିଳନୀ କରିବା ପାଇଁ ଅନୁରୋଧ କରିଥିଲେ ।
