ମିରାଜ ଯୁଦ୍ଧ ବିମାନର ଟାୟାର ଚୋରି ଘଟଣା : ଆତ୍ମସମର୍ପଣ କଲେ ଦୁଇ ଯୁବକ
ଲକ୍ଷ୍ନୌ : ଯୋଧପୁରକୁ ନିଆଯାଉଥିବା ଭାରତୀୟ ବାୟୁସେନାର ମିରାଜ ଯୁଦ୍ଧ ବିମାନର ଟାୟାର ଚୋରି ହୋଇଯାଇଥିବାବେଳେ ପୋଲିସ ନିକଟକୁ ଚୋରି ଟାୟାର ଫେରିଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୋରି ବିମାନର ଚକକୁ ଉଦ୍ଧାର କରିନାହିଁ, ବରଂ ଚୋରି କରିଥିବା ଦୁଇ ଯୁବକ ଟାୟାର ସହ ବାୟୁସେନା ଷ୍ଟେସନରେ ଆତ୍ମସମର୍ପଣ କରିଥିବା ସୂଚନା ରହିଛି । ନଭେମ୍ବର ୨୭ରେ ଏକ ଟ୍ରକରେ ବିମାନର ୫ ଟାୟାରକୁ ଅନ୍ୟତ୍ର ନିଆଯାଉଥିବା ବେଳେ ଲକ୍ଷ୍ନୌର ସହିଦପାଥ ରୋଡ ନିକଟରୁ ଗୋଟିଏ ଟାୟାର ଚୋରି ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା ।
ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିରାମଖଣ୍ଡର ବାସିନ୍ଦା ଦୀପରାଜ ଏବଂ ହିମାଂଶୁ ବନଶଲ ନାମକ ଦୁଇ ସ୍ଥାନୀୟ ଯୁବକ ଶନିବାର ବିଳମ୍ବିତ ରାତିରେ ବିମାନର ଟାୟାର ଧରି ବି.କେ.ଟି ଏୟାରଫୋର୍ସ ଷ୍ଟେସନରେ ପହଞ୍ଚିଥିଲେ। ତେବେ ଉକ୍ତ ଟାୟାର ମିରାଜ ବିମାନର ବୋଲି ଯାଞ୍ଚ ପରେ ସ୍ପଷ୍ଟ ହୋଇଥିବା ଏୟାର ଫୋର୍ସ ବେସ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ।
ସୂଚନା ଅନୁସାରେ, ଲୌକ୍ଷ୍ନର ବକ୍ସି କା ତାଲାବ ଏୟାର ବେସରୁ ଯୋଧପୁର ଏୟାରବେସକୁ ଯୁଦ୍ଧ ବିମାନ ମିରାଜର ପାଞ୍ଚ ଟାୟାର ଏକ ଟ୍ରକ ଯୋଗେ ନିଆଯାଉଥିଲା। ତେବେ ରାସ୍ତା ମଝିରେ ସେଥିରୁ ଗୋଟିଏ ଟାୟାର ଚୋରି ହୋଇଯାଇଥିବା ସ୍ଥାନୀୟ ଆଶିଆନା ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ ଉକ୍ତ ଟ୍ରକର ଡ୍ରାଇଭର । ଏହି ଘଟଣାକୁ ସମ୍ବେଦନଶୀଳ ବିବେଚନା କରି ଏକ ମାମଲା ପଞ୍ଜିକରଣ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଏହି ପରିପ୍ରେକ୍ଷୀରେ ଯୋଧପୁର ଏୟାରବେସରେ ଟ୍ରକ ଡ୍ରାଇଭରକୁ ମଧ୍ୟ ପଚରାଉଚରା ଆରମ୍ଭ ହୋଇଥିଲା। ବିମାନର ଟାୟାର ଚୋରାଇ ନେଇଥିବା ଦୁଇ ଯୁବକଙ୍କୁ ପୋଲିସ ଚିହ୍ନଟ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେମାନେ ନିଜେ ଚୋରି ଟାୟାର ସହ ଏୟାର ଫୋର୍ସ ବେସରେ ପହଞ୍ଚିଥିବା ସୂଚନା ରହିିଛି । ଉକ୍ତ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ ହେବା ସହ ଆଇନତଃ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ଥାନୀୟ ପୋଲିସ କହିଛି ।
