ନାଗାଲାଣ୍ଡ ଅଘଟଣରେ ସ୍ପଷ୍ଟୀକରଣ ରଖିଲା ସୁରକ୍ଷା ବଳ
କୋହିମା: ନାଗାଲାଣ୍ଡରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୩ ସାଧାରଣ ଲୋକ ପ୍ରାଣ ହରାଇବା ପରେ ଉକ୍ତ ଅଘଟଣରେ ସ୍ପଷ୍ଟୀକରଣ ରଖିଛି ସୁରକ୍ଷାବଳ । ସୁରକ୍ଷା ବଳ ଘଟଣାରେ ଦୁଃଖ ପ୍ରକାଶ କରିବା ତ୍ରୁଟିର ତଦନ୍ତ ହେବ ବୋଲି କହିଛି । ସେହିପରି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ସୂଚନା ଦେଇ ସୁରକ୍ଷାବଳ କହିଛି ଆତଙ୍କୀ କାର୍ଯ୍ୟକଳାପ ନେଇ ଗୁଇନ୍ଦା ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ ।
ନାଗାଲାଣ୍ଡର ସୋମ ଜିଲ୍ଲାର ତିରୁ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ବିଷୟରେ ସୂଚନା ପାଇବା ପରେ ଏହି ୟୁନିଟ୍ ବିଭିନ୍ନ ଦଳରେ ନିୟୋଜିତ ହୋଇ ଆମ୍ବ୍ୟୁସ ରଣନୀତି ଆପଣାଇଥିଲେ । ସେଠାରେ ଏକ ବୋଲେରୋରେ ସାଧାରଣ ନାଗରିକ ଯାଉଥିବାବେଳେ ସୁରକ୍ଷାକର୍ମୀ ଗୁଳି ଚଳାଇଥିଲେ । ପ୍ରାରମ୍ଭିକ ଭାବେ ସୁରକ୍ଷାବଳ ଗୁଳିରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଧାରଣ ନାଗରିକମାନେ ଏକ ଶିକାର ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ରାଇଫଲ ସାଥିରେ ନେଇଥିବାରୁ ଅଧିକ ଦ୍ବନ୍ଦ ସୃଷ୍ଟି ହୋଇଥିଲା ।
ଏହି ଘଟଣା ଘଟିବା ପରେ ସ୍ପେଶାଲ ଫୋର୍ସର ଯବାନମାନେ ସ୍ଥାନୀୟ ପୋଲିସ ପହଞ୍ଚିବା ପାଇଁ ଅପେକ୍ଷା କରିଥିଲେ ଯେତେବେଳେ ଏହି ଗୁଳିକାଣ୍ଡ ବିରୁଦ୍ଧରେ 200ରୁ ଅଧିକ ସ୍ଥାନୀୟ ସାଧାରଣ ନାଗରିକ ଘେରି ଯାଇ ସୁରକ୍ଷାକର୍ମୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ତେଣୁ ସୁରକ୍ଷା ବଳ ଆତ୍ମରକ୍ଷା ପାଇଁ ପୁନଃ ଗୁଳି ଚଳାଇବା ପାଇଁ ବାଧ୍ୟ ହୋଇଥିବା କହିଛି ସୁରକ୍ଷା ବାହିନୀ । ସେହିପରି ସମ୍ପୂର୍ଣ୍ଣ ଅପରେସନରେ ରଣନୀତିରେ ହୋଇଥିବା ତ୍ରୁଟି ପାଇଁ ସୁରକ୍ଷାବଳ ଦୁଃଖପ୍ରକାଶ କରିବା ଏହାର ସର୍ବୋଚ୍ଚ ସ୍ତରରେ ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ସେନା ପକ୍ଷରୁ କିଛି ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
