ଆସିଛି ଶୀତ ଋତୁ ! ପିକ୍ନିକ୍ ଓ ଆଉଟିଂ ପାଇଁ ପ୍ରକୃଷ୍ଟ ସମୟ, ବରଫରେ ଭରପୂର ମଜା ନିଅନ୍ତୁ
ଆସିଯାଇଛି ଶୀତ ଋତୁ । ଜୋର୍ଦାର ଥଣ୍ଡା ବି ପଡ଼ିଲାଣି । ଏହା ହେଉଛି ପିକ୍ନିକ୍ ଓ ଆଉଟିଂ ପାଇଁ ପ୍ରକୃଷ୍ଟ ସମୟ। ଏହିଦିନେ ବୁଲିବାର ମଜା ବି କିଛି ଅଲଗା । ବରଫପାତ ଓ ବରଫରେ ଖେଳିବାକୁ ପସନ୍ଦ କରୁଥିବା ଲୋକେ ତ ଅପେକ୍ଷା କରି ରହିଥାନ୍ତି ଶୀତଋତୁକୁ । ତେବେ ଆପଣ କାହିଁକି ଆଉ ଡେରି କରୁଛନ୍ତି? ଏହି ରୋମାଞ୍ଚକୁ ପାଖରୁ ଅନୁଭବ କରିବାର ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ ।
ଗୁଲମାର୍ଗ :
ଜମ୍ମୁ-କଶ୍ମୀରର ସ୍ଥିତ ଗୁଲମାର୍ଗକୁ କୁହାଯାଏ ଭୂପୃଷ୍ଟର ସ୍ବର୍ଗ । ଶୀତଦିନେ ଗୁଲମାର୍ଗର ଚାରିଆଡ଼େ କେବଳ ବରଫ ହିଁ ଦେଖିପାରିବେ । ଜମ୍ମୁ-କଶ୍ମୀରର ବାରାମୁଲା ଜିଲ୍ଲାରେ ଥିବା ଏହି ହିଲ୍ ଷ୍ଟେସନ୍ ବାସ୍ତବରେ ଅତୁଳନୀୟ । ବରଫରେ ଖେଳିବା ଲାଗି ଏଠାକୁ ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଆସନ୍ତି । ସ୍କିଙ୍ଗ୍ରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ପାଇଁ ଗୁଲମାର୍ଗ ପ୍ରଥମ ପସନ୍ଦ । ଏଠାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏତେ ମନୋହର ଯେ ଏହାକୁ ଛାଡ଼ିକି ଆସିବାକୁ ଇଚ୍ଛା ହେବନି । ସେଥିପାଇଁ ଲୋକପ୍ରିୟ ଶୁଟିଂ ସ୍ଥାନରେ ଏହା ସାମିଲ ହୋଇଛି ।
ଅଉଲି :
ଏହା ଉତ୍ତରାଖଣ୍ଡର ସବୁଠାରୁ ପୁରୁଣା ସହର । ଶୀତଋତୁରେ ଏହା ଏକ ‘ଡ୍ରିମ୍ଲ୍ୟାଣ୍ଡ’ ବା ସ୍ବପ୍ନର ସହର ଭାବେ ଦେଖାଯାଇଥାଏ । ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସ୍କିଙ୍ଗ ପାଇଁ ମଧ୍ୟ ଅଉଲି ଲୋକପ୍ରିୟ । ବରଫରେ ପରିପୂର୍ଣ୍ଣ ଜଙ୍ଗଲ ଭିତରେ ଆପଣ ଲଙ୍ଗ ୱାକ୍ର ମଧ୍ୟ ମଜା ନେଇପାରିବେ । ଏଠାକୁ ଯିବାର ଉପଯୁକ୍ତ ସମୟ ହେଉଛି ଶୀତଦିନ।
କୁଫରି :
ହିମାଚଳ ପ୍ରଦେଶରେ ଅବସ୍ଥିତ କୁଫରି ହେଉଛି ଏକ ପ୍ରସିଦ୍ଧ ହିଲ୍ଷ୍ଟେସନ୍ । ଶୀତଦିନେ ବରଫ ଚାଦରରେ ଘୋଡ଼ାଇ ହୋଇ ଏହି ସହର ଆହୁରି ସୁନ୍ଦର ଦେଖାଯାଏ । ପର୍ଯ୍ୟଟକଙ୍କ କୋଳାହଳରେ ଶୀତଦିନେ ଏଠାରେ ଥିବା ପାହାଡ଼ଗୁଡ଼ିକ ଜୀବନ୍ତ ହୋଇଉଠେ । ସ୍କିଙ୍ଗ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଥଣ୍ଡା ଥଣ୍ଡା ପବନର ହାଲୁକା ସ୍ପର୍ଶ ଆପଣଙ୍କ ଭ୍ରମଣକୁ ସୁ୍ଖଦ କରିଦେବ ।
ମୁନସିୟାରି ଓ କୁଲ୍ଲୁ-ମନାଲି :
ଡିସେମ୍ବର ଶେଷ କିମ୍ବା ଜାନୁଆରୀରେ ବରଫରେ ମଜା ନେବାକୁ ଉତ୍ତରଖଣ୍ଡର ମୁନ୍ସିୟାରି ଉପଯୁକ୍ତ ସ୍ଥାନ । ଗୋରି ଗଙ୍ଗା ନଦୀ କୂଳରେ ଥିବା ଏହି ସୁନ୍ଦର ସ୍ଥାନକୁ ଶୀତଦିନେ ଅନେକ ପର୍ଯ୍ୟଟକ ଆସିଥାନ୍ତି । ସେହିପରି ବରଫ ପାଇଁ ହିମାଚଳ ପ୍ରଦେଶରେ ଥିବା କୁଲ୍ଲୁ-ମନାଲି ବି ଶୀତଦିନେ ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ । ଆଡ୍ଭେଞ୍ଚରସ୍ ସ୍ପୋର୍ଟସ୍ ଲଭର୍ସଙ୍କ ପାଇଁ ଏହା ସବୁଠାରୁ ଭଲ ସ୍ଥାନ ।
