ଜୁନିଅର ହକି ବିଶ୍ୱକପ : ମାଲେସିଆକୁ ୪-୧ରେ ପରାସ୍ତ କଲା ସ୍ପେନ
ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ହକି ବିଶ୍ବ କପରେ ଆଜି ଅନ୍ତିମ ଦିନ । ସପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ଅନୁଷ୍ଠିତ ହୋଇଥିଲା ମୁକାବିଲାରେ ମାଲେସିଆ ଓ ସ୍ପେନ ପରସ୍ପରକୁ ଭେଟିଥିଲେ । ମାଲେସିଆକୁ ୪-୧ରେ ପରାସ୍ତ କରିଛି ସ୍ପେନ ।
ଏହି ବିଜୟ ସହ ସ୍ପେନ ଚଳିତ ବର୍ଷ ଜୁନିଅର ହକି ବିଶ୍ବକପରେ ସପ୍ତମ ଏବଂ ମାଲେସିଆ ଅଷ୍ଟମ ସ୍ଥାନରେ ରହିଛି । ଏହି ସହ ଉଭୟ ଟିମର ବିଶ୍ବକପ ଅଭିଯାନ ଶେଷ ହୋଇଛି । ହାଫ ଟାଇମ ସୁଦ୍ଧା ସ୍ଥିତି ୧-୧ରେ ବରାବର ରହିଥିଲା । ଏହାପରେ ପୁଣି ଆରମ୍ଭ ହୋଇଥିଲା ଖେଳ । ମାଲେସିଆ ଆଉ ଗୋଟିଏ ବି ଗୋଲ କରିପାରି ନଥିଲା । ସ୍ପେନର ଏହାପରେ ଲଗାତାର ୩ଟି ଗୋଲ କରିଥିଲା । ପାଉ କୁନିଲ ବ୍ରାସ ସ୍ପେନ ପକ୍ଷରୁ ଶେଷ ଗୋଲ କରି ଖେଳ ଶେଷ କରିଥିଲେ ।
ଏହି ମୁକାବିଲାରେ ବର୍ଷା ବାଧକ ସାଜିଥିଲା । ନିର୍ଦ୍ଧାରିତ ସମୟରୁ ୪୫ ମିନିଟ ବିଳମ୍ବରେ ଅନୁଷ୍ଠିତ ହୋଇଥିଲା ମ୍ୟାଚ । ପରବର୍ତ୍ତୀ ପଞ୍ଚମ ଏବଂ ଷଷ୍ଠ ସ୍ଥାନ ପାଇଁ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ମୁକାବିଲା । ବର୍ଷା କାରଣରୁ ଏହି ମ୍ୟାଚ ଆରମ୍ଭରେ ବିଳମ୍ବ ହେବ ବୋଲି ଟ୍ବିଟ କରି ସୂଚନା ଦେଇଛି ଏଫଆଇଏଚ ।
