ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର : ଦମ୍ପତ୍ତି ମୃତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦରଥାନା ସୁବଲୟା ପଞ୍ଚାୟତ ଖଏରଖମନ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଦୁଇ ଶ୍ରମିକ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଧାନ ଆଣିବାକୁ ସୁବଲୟାରୁ ଖଏରଖମନ ଯାଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା।
ସୂଚନା ଯେ, ରବିବାର ନିଜ ଟ୍ରାକ୍ଟରରେ ଉଭୟ ସ୍ବାମୀ- ସ୍ତ୍ରୀ ବସି ବିଲକୁ ଧାନ ଆଣିବା ପାଇଁ ଯାଉଥିଲେ । ଵିଲ ନିକଟରେ ରାସ୍ତା ତଳକୁ ଓଲ୍ହାଇଲା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଁଚି ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି। ପୋଲିସ ତଦନ୍ତ କରିବା ସହ ଏକ କ୍ରେନ୍ ସହାୟତାରେ ମୃତଦେହକୁ ବାହାର କରିଥିଲେ।
