ସୁରକ୍ଷାକର୍ମୀଙ୍କ ଭୁଲ ଅପରେସନ ପାଇଁ ପ୍ରାଣ ହରାଇଲେ ୧୨ ସାଧାରଣ ନାଗରିକ, ଏସଆଇଟି ତଦନ୍ତ ନିର୍ଦ୍ଦେଶ
କୋହିମା: ସୁରକ୍ଷାକର୍ମୀଙ୍କ ଭୁଲ ଅପରେସନ ପାଇଁ ପ୍ରାଣ ହରାଇଲେ ୧୨ ସାଧାରଣ ନାଗରିକ । ନାଗାଲାଣ୍ଡର ମୋନା ଜିଲ୍ଲାର ଓଟିଙ୍ଗ ଅଞ୍ଚଳରେ ଘଟିଛି ଏପରି ଅଘଟଣ । ରାଜ୍ୟର ସୁରକ୍ଷାବାହୀନଙ୍କ ଦ୍ବାରା ଦିଆଯାଇଥିବା ଭୁଲ୍ ତଥ୍ୟ କାରଣରୁ ଏପରି ଏକ ଦୁଃଖଦ ଘଟଣା ଘଟିଛି । ଏଥିରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିବା ଜଣାପଡିଛି । ଘଟଣା ପରେ ଉତ୍ତେଜିତ ଲୋକେ ସୁରକ୍ଷାକର୍ମୀଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଲୋକଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି ।
ସୂଚନା ଯେ, ଗତ ଶନିବାର ସନ୍ଧ୍ୟାରେ ନାଗାଲାଣ୍ଡ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ବିରୋଧୀ ଅପରେସନରେ ଭୁଲ୍ ତଥ୍ୟ ମିଳିଥିଲା । ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ଗୁପ୍ତ ସୂଚନା ପାଇ ସୁରକ୍ଷାବାହିନୀ ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଏହି ସମୟରେ ସେହି ରାସ୍ତାଦେଇ କିଛି ଗ୍ରାମବାସୀ ମିନି ଟ୍ରକ୍ରେ ଘରକୁ ଫେରୁଥିଲେ । କିନ୍ତୁ ଭୁଲରେ ଗ୍ରାମବାସୀଙ୍କୁ ଆତଙ୍କୀ ଭାବି ସେମାନଙ୍କ ଉପରେ ଗୁଳିଚାଳନା କରିଥିଲେ ସୁରକ୍ଷାକର୍ମୀ। ଏଥିରେ ୧୨ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସୁରକ୍ଷାକର୍ମୀଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ଲାଗିରହିଛି । ଘଟଣା ପରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଓ ରିଓ ଶାନ୍ତି ପାଇଁ ଲୋକଙ୍କୁ ନିବେଦନ କରିବା ସହ ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ମୋନ ଜିଲ୍ଲାର ଓଟିଙ୍ଗରେ ସାଧାରଣ ନାଗରିକଙ୍କ ହତ୍ୟା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ଏସଆଇଟି ଦ୍ୱାରା ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଘଟଣାକୁ ନେଇ ଟ୍ୱିଟ୍ କରି କହିଛନ୍ତି ଯେ, ‘ନାଗାଲାଣ୍ଡର ଓଟିଙ୍ଗରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାକୁ ନେଇ ମୁଁ ଦୁଃଖିତ । ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ଏସଆଇଟି ଦ୍ବାରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ।’
