ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା ହକି ଦଳ
ଆଜି ପ୍ରଥମ ମ୍ୟାଚ୍ରେ ଥାଇଲାଣ୍ଡକୁ ଭେଟିବ ଭାରତ
ହାଇଦ୍ରାବାଦ : ରବିବାର ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା ହକି ଟିମ । ପ୍ରଥମ ମ୍ୟାଚ୍ରେ ଥାଇଲାଣ୍ଡକୁ ଭେଟିବ ଭାରତ । ବିଜୟରୁ ଆରମ୍ଭ ଲକ୍ଷ୍ୟ ଥିବା କହିଛନ୍ତି କ୍ୟାପଟେନ ତଥା ଗୋଲକିପର ସବିତା ପୁନିଆ । ଟୋକିଓ ଅଲମ୍ପିକ୍ ପରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତୀୟ ମହିଳା ଟିମ ।
ଡିସେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ଖେଳାଯିବା ନେଇ ସୂଚୀ ରହିଛି । ସିଙ୍ଗଲ୍ ପୁଲ୍ ପ୍ରତିଯୋଗିତାରେ ଚାଇନା, ଦକ୍ଷିଣ କୋରିଆ, ଜାପାନ, ଥାଇଲାଣ୍ଡ ଓ ମାଲେସିଆ ବିପକ୍ଷରେ ଖେଳିବ ଟିମ ଇଣ୍ଡିଆ । ପୁଲ୍ର ଦୁଇ ଶୀର୍ଷ ଟିମ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ରାନୀ ରାମପାଲଙ୍କୁ ଏହି ଟୁର୍ନାମେଣ୍ଟରୁ ବିଶ୍ରାମ ଦିଆଯାଇଛି । ଫଳରେ ରାନୀଙ୍କ ଅନୁପସ୍ଥିତିରେ କ୍ୟାପଟେନ ଭାର ସମ୍ଭାଳିବେ ସବିତା ।
ଡିସେମ୍ବର ୬ରେ ଭାରତୀୟ ଟିମ ମାଲେସିଆକୁ ଭେଟିବ । ପୂର୍ବ ସଂସ୍କରଣରେ ୩-୨ ଗୋଲ୍ରେ ମାଲେସିଆକୁ ମାତ୍ ଦେଇଥିଲା ଭାରତ । ସେହିପରି ଆୟୋଜକ ତଥା ଡିଫେଣ୍ଡିଂ ଚମ୍ପିଆନ କୋରିଆ ସହ ଡିସେମ୍ବର ୮ରେ ଭାରତର ମୁକାବିଲା ରହିଛି। ପୂର୍ବ ସଂସ୍କରଣରେ ଭାରତ ୦-୧ ଗୋଲ୍ରେ କୋରିଆ ଠାରୁ ଫାଇନାଲରେ ପରାସ୍ତ ହୋଇଥିଲା ।
