ଏମଏସପି କମିଟି ପାଇଁ ୫ ଚାଷୀନେତାଙ୍କୁ ଚୟନ, ସରକାରଙ୍କ ସହ ବୈଠକରେ ରଖିବେ ଦାବି
ନୂଆଦିଲ୍ଲୀ : ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଇମ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏମଏସପି କମିଟି ପାଇଁ ୫ ଜଣ ଚାଷୀ ନେତାଙ୍କ ନାମ ଚୂଡାନ୍ତ ହୋଇଥିବା ସୂଚନା ରହିଛି । ଏମଏସପି ପ୍ରସଙ୍ଗରେ କମିଟି ଗଠନ ହେବାକୁ ଥିବାବେଳେ ୫ ଜଣଙ୍କୁ ଆଲୋଚନା ପାଇଁ ପ୍ରତିନିଧି ଭାବେ ଚୟନ କରିବାକୁ କହିଥିଲା କେନ୍ଦ୍ର ସରକାର ।
କିଷାନ ମୋର୍ଚ୍ଚା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚାଷୀ ନେତା ଯୁଧିଷ୍ଠିର ସିଂ, ଶିବ କୁମାର କକ୍କା, ବଲବୀର ରାଜୱାଲ, ଅଶୋକ ଧାୱାଲେ, ଗୁରୁନାମ ସିଂ ଚାଡୁନିଙ୍କ ନାମ ସରକାର ଗଠନ କରିବାକୁ ଥିବା ଏମଏସପି କମିଟିରେ ପ୍ରତିନିଧିତ୍ବ କରିବା ପାଇଁ କିଷାନ ମୋର୍ଚ୍ଚା ବୈଠକରେ ସହମତି ପ୍ରକାଶ ପାଇଛି । ଡିସେମ୍ବର ୭ରେ ମୋର୍ଚ୍ଚାର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ।
ଏଥିସହିତ, ଏହି ନିଷ୍ପତ୍ତି ସମ୍ପର୍କରେ ରାକେଶ ଟିକାଏତ କହିଛନ୍ତି, ଯେ ଏହା ସଂଯୁକ୍ତ କିଷାନ ମୋର୍ଚ୍ଚାର ମୁଖ୍ୟ କମିଟି ହେବ, ଯାହା ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବ । ଏପର୍ଯ୍ୟନ୍ତ ସରକାର ଆନୁଷ୍ଠାନିକ ଭାବେ ଆଲୋଚନା ପାଇଁ ଆହ୍ୱାନ କରିନାହାଁନ୍ତି । ଯଦି କଥାବାର୍ତ୍ତା ପାଇଁ ଡକାଯାଏ, ତେବେ ଆଜି ଚୟନ ହୋଇଥିବା ଚାଷୀନେତାଙ୍କ ପ୍ରତିନିଧି ମଣ୍ଡଳୀ ସରକାରଙ୍କ ସହ ଆଲୋଚନା କରିବେ । ସେହିପରି ଆନ୍ଦୋଳନର ଆଗାମୀ ରଣନୀତି ନେଇ ରାକେଶ ଟିକାୟତ ଦୋହରାଇଛନ୍ତି ଯେ, ଚାଷୀମାନେ ଧାରଣାସ୍ଥଳରୁ କୌଣସି ସ୍ଥାନକୁ ଯାଉନାହାନ୍ତି । ଡିସେମ୍ବର ୭ରେ ମୋର୍ଚ୍ଚାର ପରବର୍ତ୍ତୀ ବୈଠକରେ ଅନ୍ୟ ସମସ୍ତ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବା ପରେ ଯାହା କିଛି ସ୍ପଷ୍ଟ ହେବ ।
ସେହିପରି କୃଷି ଆଇନକୁ ନେଇ ଜାରି ରହିଥିବା ବିକ୍ଷୋଭରେ ପ୍ରାଣ ହରାଇଥିବା ୭୦୨ କୃଷକଙ୍କୁ ଶହୀଦ ବୋଲି ଦର୍ଶାଇବା ସହ ମୃତ କୃଷକଙ୍କ ତାଲିକା କୃଷି ସଚିବଙ୍କ ନିକଟକୁ ପଠାଇଛି ମୋର୍ଚ୍ଚା । ବୈଠକରେ ଏମଏସପି ଏବଂ ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର ପାଇଁ ଆଲୋଚନା ହୋଇଥିଲା । ଏହି ଆନ୍ଦୋଳନ ବର୍ତ୍ତମାନ ଶେଷ ହେବା ଉଚିତ କିମ୍ବା ଜାରି ରହିବ ସେ ନେଇ କିଛି ସ୍ପଷ୍ଟ ହୋଇ ନଥିବାବେଳେ ଏହା ଉପରେ ବିଚାରବିମର୍ଶ ଜାରି ରହିଛି । ପରବର୍ତ୍ତୀ ବୈଠକରେ ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି ।
