ଦାନ୍ତେଓ୍ବଡାରେ ପୋଲିସକୁ ବଡ ସଫଳତା : ଆତ୍ମସମର୍ପଣ କଲେ ୧୬ କ୍ୟାଡର ମାଓବାଦୀ
ରାୟପୁର : ଲାଲବାହିନୀର ଦୁର୍ଦ୍ଧର୍ଷଗଡ ଭାବେ ପରିଚିତ ଛତିଶଗଡର ଦାନ୍ତେଓ୍ବଡାରେ ପୋଲିସକୁ ବଡ ସଫଳତା । ୧୬ ଜଣ କ୍ୟାଡର ମାଓବାଦୀ ସଂଗଠନ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛି ଜିଲ୍ଲା ପୋଲିସ ପ୍ରଶାସନ । ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଥଇଥାନ ଯୋଜନାରେ ମାଓବାଦୀଙ୍କୁ ଥଇଥାନ କରାଯିବା ସହ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ଅବସର ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସ୍ଥାନୀୟ ପୋଲିସ ପ୍ରଶସନ ପକ୍ଷରୁ ସୂଚନା ମିଳିଛି ।
ଆତ୍ମସମର୍ପଣ କରିଥିବା ୧୬ ମାଓବାଦୀଙ୍କ ମଧ୍ୟର ଅନେକ ହାର୍ଡକୋର ମାଓବାଦୀ ରହିଛନ୍ତି । ସଂଗଠନର ମିଲିସିଆ ସଦସ୍ୟ ୨୬ ବର୍ଷୀୟ ଯୋଗ କୁଞ୍ଜାମ ମଧ୍ୟ ଏହି ତାଲିକାରେ ରହିଛନ୍ତି । ଯୋଗ କୁଞ୍ଜାମ ଦନ୍ତେଓ୍ବାଡାରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ସମେତ ଅନେକ ହିଂସାତ୍ମକ କର୍ଯ୍ୟକଳାପରେ ସାମିଲ ଥିବା କହିଛି ପୋଲିସ ।
ତେବେ ମାଓବାଦୀମାନେ ମୁଖ୍ୟସ୍ରୋତକୁ ଫେରି ସାମାଜିକ ଜୀବନ ପୁନଃଆରମ୍ଭ କରିବାକୁ ଚାହିଁଲେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ଥଇଥାନ କରୁଛନ୍ତି । ସେହି ଆଧାରରେ ଗତବର୍ଷ ଜୁନ୍ ମାସରେ ଛତିଶଗଡ ପୋଲିସ ଦ୍ବାରା ଆରମ୍ଭ ହୋଇଥିବା ଲୋନ୍ ଭାରାଟୁ (ସ୍ଥାନୀୟ ଗୋଣ୍ଡି ଭାଷା ଶବ୍ଦ) ଅଭିଯାନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୭୫ ମାଓବାଦୀ ଲାଲ ଶିବିର ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇସାରିଲେଣି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ପୁରସ୍କାର ରାଶି ଘୋଷଣା ହୋଇଥିବା ୧୧୯ ହାର୍ଡକୋର ମାଓବାଦୀ ମଧ୍ୟ ରହିଥିବା ପୋଲିସ କହିଛି ।
