‘ଜୱାଦ’ ପ୍ରଭାବ : ସ୍ଥଳଭାଗକୁ ଅଢ଼େଇ କିମି ପର୍ଯ୍ୟନ୍ତ ମାଡ଼ି ଆସିବ ଜୁଆର, ଜାଣନ୍ତୁ କେଉଁଠି କେତେ କିଲୋମିଟର
ଭୁବନେଶ୍ୱର : ମାଡି ଆସୁଛି ବାତ୍ୟା ‘ଜୱାଦ’। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ଘଣ୍ଟା ପ୍ରତି ୨୦କିମି ବେଗରେ ଏବେ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଇଛି। ମାତ୍ର ଏହାର ପ୍ରଭାବରେ ଅଶାନ୍ତ ହୋଇଉଠିଛି ସମୁଦ୍ର। ଫଳରେରେ ରାଜ୍ୟର ୬ଟି ଜିଲାରେ ଜୁଆର ପାଣି ପ୍ରାୟ ଅଢ଼େଇ କିମି ପର୍ଯ୍ୟନ୍ତ ଜନବସତି ଅଂଚଳକୁ ମାଡ଼ି ଆସିବାର ଆଶଙ୍କା ରହିଛି । ସାମୁଦ୍ରିକ ଝଡ଼ ପ୍ରଭାବରେ ସ୍ଥଳ ଭାଗରେ କେତେ ଦୂର ଯାଏଁ ସାମୁଦ୍ରିକ ଜୁଆର ମାଡି ଆସିବ ତାହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ, ଭୁବନେଶ୍ୱର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତୁ ଜାଣିବା ରାଜ୍ୟର କେଉଁସବୁ ସ୍ଥାନରେ ସ୍ଥଳଭାଗର କେତେ ଦୂର ଯାଏ ମାଡି ଆସିବ ସମୁଦ୍ର ଜଳ।
ଏହା ପ୍ରଭାବରେ କେନ୍ଦ୍ରାପଡା ଜିଲାର ଟିକାୟତ ନଗର ନିକଟରେ ସମୁଦ୍ରରେ ଜୁଆର ୦.୩ରୁ ୦.୭ ମିଟର ଉଚ୍ଚତାର ଉଠିବା ସହ ୨.୬୪ କି.ମି ପର୍ଯ୍ୟନ୍ତ ସ୍ଥଳଭାଗ ଆଡକୁ ମାଡି ଆସିବ। ସେହିପରି ଭଦ୍ରକ ଜିଲାର ମୋହନପୁର ନିକଟରେ ଜୁଆର ୦.୪ରୁ ୦.୬ ମିଟର ଉଚ୍ଚତାର ଉଠିବା ସହ ସ୍ଥଳଭାଗ ଆଡକୁ ୦.୬୪ କିମି ପର୍ଯ୍ୟନ୍ତ ମାଡିଆସିବ। ଜଗତସିଂହପୁର ଜିଲାର ମୁଷାଡ଼ିଆ ନିକଟରେ ୦.୩ରୁ୦.୬ ମିଟର ଉଚ୍ଚତାରେ ସମୁଦ୍ରର ଜଳ ଆସିବା ସହ ୨.୩୭ କି.ମି ପର୍ଯ୍ୟନ୍ତ ସ୍ଥଳଭାଗ ଆଡକୁ ମାଡି ଆସିବ। ପୁରୀ ଜିଲାର ଛୁରିଆନା ନିକଟରେ ୦.୨ରୁ ୦.୬ ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସହ ୧.୦୩ କି.ମି ପର୍ଯ୍ୟନ୍ତ ସ୍ଥଳଭାଗ ଆଡକୁ ମାଡିଆସିବ ସମୁଦ୍ର ଜଳ। ବାଲେଶ୍ୱର ଜିଲାର ଶ୍ରୀକୋଣ ନିକଟରେ ୦.୨ରୁ ୦୪ ମିଟର ଉଚ୍ଚତାରେ ସମୁଦ୍ର ଜଳ ଉଠିବା ସହ ୦.୭୮ କି.ମି ପର୍ଯ୍ୟନ୍ତ ସ୍ଥଳଭାଗ ଆଡକୁ ମାଡିଆସିବ। ସେହିପରି ଗଞ୍ଜାମ ଜିଲାର ଗୋଳାବନ୍ଧ ନିକଟରେ ୦.୨ରୁ ୦.୩ ମିଟର ଉଚ୍ଚତାର ଉଠିବା ସହ ୦.୮୧ କିଲୋମିଟର ଏବଂ ଛତ୍ରପୁରର ପ୍ରୟାଗିଠାରେ ୦.୨ରୁ ୦.୩ ମିଟର ଉଚ୍ଚତାର ଜୁଆର ଉଠିବା ସହ ୦.୭୬ କି.ମି. ପର୍ଯ୍ୟନ୍ତ ସ୍ଥଳଭାଗ ଆଡକୁ ସମୁଦ୍ରର ଜଳ ମାଡି ଆସିବ ବୋଲି ଜଣାପଡିଛି।
