ଦ୍ୱିତୀୟ ଟେଷ୍ଟ : ବର୍ଷା ଯୋଗୁ ଟସ୍ରେ ବିଳମ୍ବ, ଇଣ୍ଡିଆକୁ ଟ୍ରିପଲ ଝଟକା
ମୁମ୍ବାଇ : ଶୁକ୍ରବାର ଠୁ ୱାଙ୍ଖଡେ ଷ୍ଟାଡିୟମ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ଖେଳାଯିବ । ଏଥିରେ ଗତ ଟେଷ୍ଟ ଚାମ୍ପିଅନ୍ସିପ୍ ଚକ୍ରର ସମସ୍ତ ପରାଜୟର ପ୍ରତିଶୋଧ ନେବାକୁ ଭାରତ ଯୋଜନା କରିଛି । ଅନ୍ୟ ପଟରେ ପ୍ରଥମ (କାନପୁର) ଟେଷ୍ଟ ଭଳି ଲଢୁଆ ଖେଳ ପ୍ରଦର୍ଶନ କରିବା ସହ ନ୍ୟୁଜିଲାଣ୍ଡ ସିରିଜ ପରାଜୟ ଏଡ଼ାଇବାକୁ ପ୍ରୟାସ କରିବାକୁ ଲକ୍ଷ୍ୟ ରଖିବ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଟ୍ରିପଲ ଝଟକା ଲାଗିଛି। ବର୍ଷା ଯୋଗୁ ଟସ୍ରେ ବିଳମ୍ବ ହୋଇଥିବା ବେଳେ ଏବେ ଆହତ ଯୋଗୁ ଦଳର ୩ ପ୍ରମୁଖ ଖେଳାଳି ବାଦ ପଡ଼ିଛନ୍ତି। ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ, ଦ୍ରୁତ ବୋଲର ଈଶାନ୍ତ ଶର୍ମା ଓ ଅଲରାଉଣ୍ଡ ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ଟେଷ୍ଟ ଖେଳିବେ ନାହିଁ ବୋଲି ଟିମ ମ୍ୟାନେଜମେଣ୍ଟ ସ୍ପଷ୍ଟ କରିଛି।
କାନପୁରରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟର ଶେଷ ଦିନରେ ଈଶାନ୍ତଙ୍କ ହାତରେ ବଲ ମାଡ଼ ହୋଇଥିଲା। ଏହି କାରଣରୁ ତାଙ୍କ ବାମ ହାତର କାଣି ଆଙ୍ଗୁଠି ଡିସଲୋକେଟେଡ ହୋଇଯାଇଛି। ତେଣୁ ସେ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ବିସିସିଆଇର ମେଡିକାଲ ତାଙ୍କ ଆହତ ଉପରେ ନଜର ରଖିଛି। ସେହିପରି ରବୀନ୍ଦ୍ର ଜାଡେଜା ପ୍ରଥମ ଟେଷ୍ଟ ବେଳେ ଫୋରଆର୍ମ ଜନିତ ସମସ୍ୟାରେ ପଡ଼ିଥିଲେ। ମ୍ୟାଚ ପରେ ତାଙ୍କର ସ୍କାନିଂ କରାଯାଇଥିଲା। ଏହି ସମୟରେ ଏହା ଫୁଲି ଥିବା ସ୍ପଷ୍ଟ ହୋଇଛି। ତାଙ୍କୁ ବିଶ୍ରାମ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଅଜିଙ୍କ୍ୟ ରାହଣେ ପ୍ରଥମ ଟେଷ୍ଟର ଶେଷ ଦିନରେ ଫିଲ୍ଡିଂ କରିଥିବା ବେଳେ ଲେଫ୍ଟ ହାମଷ୍ଟ୍ରିଙ୍ଗ ଜନିତ ସମସ୍ୟାରେ ପଡ଼ିଥିଲେ। ଏହି ସମସ୍ୟାରୁ ସେ ସଂପୂର୍ଣ୍ଣ ଭାବେ ମୁକୁଳି ପାରିନାହାନ୍ତି। ତାଙ୍କ ଉପରେ ମଧ୍ୟ ବିସିସିଆଇର ମେଡିକାଲ ଟିମ ନିଜର ରଖିଛି। ଏହି କାଣରୁ ସେ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି।
ଦ୍ୱିତୀୟ ଟେଷ୍ଟରେ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଗଣା ହେଉଥିବା କୋହଲି ୨୦୧୯ରେ ଇଡେନ ଗାର୍ଡେନରେ ଶତକ ଅର୍ଜନ କରିଥିଲେ । ଏହା ତାଙ୍କ କ୍ୟାରିୟର୍ର ୭୦ତମ ଶତକ ରହିଥିଲା । ଏହା ପରଠୁ ତାଙ୍କ ବ୍ୟାଟ୍ରୁ ଶତକୀୟ ଇନିଂସ ଦେଖିବାକୁ ମିଳିନାହିଁ । ଭାରତୀୟ ଦଳ କାନପୁରରେ ପ୍ରଥମ ଟେଷ୍ଟ ଖେଳୁଥିବାବେଳେ କୋହଲି ଏହି ସମୟରେ ମୁମ୍ବାଇ ଠାରେ ଜୋରଦାର ଅଭ୍ୟାସ ଚଳାଇଥିଲେ । ଟେକ୍ନିକ୍ରେ ଛୋଟ ମୋଟ ପରିବର୍ତ୍ତନ ପାଇଁ ସଞ୍ଜୟ ବାଙ୍ଗର ତାଙ୍କୁ ସହାୟତା କରୁଥିଲେ ।
ୱାଙ୍ଖଡ଼େ ପିଚ୍ ମୁଖ୍ୟତଃ ସ୍ପିନରଙ୍କୁ ସହାୟତା କରିବାର ନଜିର ରହିଛି । ଅବଶ୍ୟ ପେସ୍ ବୋଲରମାନେ ଏହି ପିଚ୍ରେ ବଲ୍କୁ ଅତିରିକ୍ତ ବାଉନ୍ସ କରାଇ ପାରିବେ । ମୁମ୍ବାଇରେ ବର୍ଷା ଓ କୋହଲା ପାଗ ଥିବାରୁ ପିଚ୍ରେ ଆଦ୍ରତା ଭରି ରହିବ । ଫଳରେ ପେସ୍ ବୋଲରମାନେ ମଧ୍ୟ ବଲକୁ ଏଠାରେ ସୁଇଂ କରାଇପାରିବେ ବୋଲି ଆଶା କରାଯାଉଛି । ଉଭୟ ଦଳ ଅତିରିକ୍ତ ପେସ୍ ବୋଲର ନେଇ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି ।
ସୂଚନା ଯେ, ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର ରହିଛି। ଦ୍ୱିତୀୟ ଟେଷ୍ଟକୁ ଦଳ ଜିତିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ପ୍ରଥମେ ବର୍ଷା ଓ ପରେ ଆହତ ସମସ୍ୟା ଦେଖାଯାଇଛି। ପ୍ରଥମ ଟେଷ୍ଟରେ ଖେଳୁ ନଥିବା ଦଳର ନିୟମିତ ଅଧିନାୟକ ବିରାଟ କୋହଲି କମବ୍ୟାକ କରିଛନ୍ତି। ସେ ଦଳକୁ ଫେରିଥିଲେ ମଧ୍ୟ ୩ ପ୍ରମୁଖ ଖେଳାଳି ଆହତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
