ଓମିକ୍ରନ ରିସ୍କ ଦେଶରୁ ଓଡିଶାକୁ ଫେରିଛନ୍ତି ୩୮୦ ଜଣ
ଭୁବନେଶ୍ୱର : ଓମିକ୍ରନ ସଂକ୍ରମଣ ବିପଦ ଥିବା ଦେଶରୁ ଓଡ଼ିଶାକୁ ବର୍ତମାନ ସୁଦ୍ଧା ୩୮୦ ଜଣ ଫେରିଛନ୍ତି । ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ ତାରିଖରେ ୧୫୬ ଜଣ ଆସିଛନ୍ତି । ସମସ୍ତେ ଟେଷ୍ଟ କରି ଆସୁଛନ୍ତି । କୋଭିଡ୍ ରିପୋର୍ଟ ନେଗେଟିଭ ଥିଲେ ବି ୭ ଦିନ ସଙ୍ଗରୋଧରେ ରହିବେ । ବିଦେଶ ଫେରନ୍ତାଙ୍କ ତାଲିକା ଜିଲ୍ଲା ପ୍ରଶାସନକୁ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି କୋଭିଡର ନୂଆ ଭାରିଆଂଟ ଓମିକ୍ରନ ବର୍ତମାନ ୨୬ଟି ଦେଶକୁ ବ୍ୟାପିଲାଣି । ସରକାରଙ୍କ ନିର୍ଦ୍ଦେଶ ରହିଛି, ଯେଉଁମାନେ ରିସ୍କ ଦେଶରୁ ଆସୁଛନ୍ତି, ସେମାନେ ନେଗେଟିଭ ରିପୋର୍ଟ ଧରିକି ଆସିବେ । ନିଜ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପୋର୍ଟାଲରେ ଦେବା ଲାଗି ବାଧ୍ୟତାମୂଳକ କରାଯାଇଛି । ସମସ୍ତ ବିମାନବନ୍ଦରରେ ଟେଷ୍ଟିଂ କରାଯାଉଛି । ଟେଷ୍ଟ ରିପୋର୍ଟ ଯଦି ପିଜିଟିଭ ଆସିଲା ତାଙ୍କୁ ତୁରନ୍ତ ଆଇସୋଲେସନକୁ ପଠାଯିବ । ଯଦି ନେଗେଟିଭ ଆସିଲା ତାଙ୍କୁ ହୋମ କ୍ୱାରେଂଟାଇନରେ ଛଡା ଯିବ । ୭ ଦିନ କ୍ୱାରେଂଟାଇନରେ ରହିବା ପରେ ଅଷ୍ଟମ ଦିନ ତାଙ୍କର ପୁଣି ଥରେ ଟେଷ୍ଟ କରାଯିବ । ଯେହେତୁ ବିଦେଶ ଫେରନ୍ତା ବିମାନ ବନ୍ଦରରେ ଟେଷ୍ଟ କରି ଆସୁଛନ୍ତି ତେଣୁ ଆମେ ବର୍ତମାନ ସେମାନଙ୍କୁ ଟ୍ରେସ କରି ଅଷ୍ଟମ ଦିନ ତାଙ୍କର ଆରଟିପିସିଆର ଟେଷ୍ଟ କରିବାକୁ ପଦକ୍ଷେପ ନେଇଛୁ । ଯଦି ଏହି ଅଷ୍ଟମ ଦିନ ତାଙ୍କର ପଜେଟିଭ ଆସିଲା ସେ ଆଇସୋଲେସନକୁ ଯିବେ ନଚେତ ଆଉ ୭ ଦିନ ତାଙ୍କୁ ସେଲଫ ଅବଜରଭେସନରେ ରଖାଯିବ । ମୋଟ ୧୪ ଦିନ ତାଙ୍କୁ ସଙ୍ଗରୋଧରେ ରହିବାକୁ ହେବ । ଯେଉଁ ମାନଙ୍କର ପିଜେଟିଭ ଆସିବ ତାଙ୍କର ଜିନମ ସିକ୍ୟୁସେନିଂ କରାଯିବ ।
ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ଆମେ ଆଡଭାଇଜାରି ଦେଇଛୁ । ସ୍ୱତନ୍ତ୍ର ଭାବେ ଭୁବନେଶ୍ୱର ବିଏମସି ଏବଂ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଆମେ କହିଛୁ ଯଦି କାହାର ଘରେ କ୍ୱାରେଂଟାଇନ ପାଇଁ ବ୍ୟବସ୍ଥା ହେଉନି ତାଙ୍କ ପାଇଁ କ୍ୱାରେଂଟାଇନ ବ୍ୟବସ୍ଥା କରିବେ । ଯଦି ସେମାନଙ୍କ ଭିତରୁ କେହି ପିଜେଟିଭ ବାହାରିଲେ କିଛି ନିର୍ଦ୍ଧିଷ୍ଟ ମେଡିକାଲରେ ବ୍ୟବସ୍ଥା କରିବା ବନ୍ଦୋବସ୍ତ ଚାଲିଛି । କାରଣ ଏମାନେ ଅନ୍ୟ କୋଭିଡ ରୋଗୀଙ୍କଠୁ ଅଲଗା ହୋଇ ଚିକିତ୍ସା ହେବେ । ଏବେ ଠୁ ସର୍ଭିଲାନ୍ସ ଆହୁରି ବଢ଼ିବ । ବିଶେଷ କରି ବିଦେଶ ଫେରନ୍ତାଙ୍କ ଉପରେ ଆମେ ତୀକ୍ଷଣ ନଜର ରଖୁଛୁ ବୋଲି ସେ କହିଛନ୍ତି ।
