ବିଦାହେଲେ ଆଉ ୪ ଲାଞ୍ଚୁଆ ସରକାରୀ ଅଧିକାରୀ
ଭୁବନେଶ୍ୱର : ଅପରାଗତା ଓ ଦୁର୍ନୀତିଗ୍ରସ୍ତ ଆଉ ୪ ଜଣ ଅଧିକାରୀଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର । ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଏହା ସହିତ ଦୁଇ ଜଣ ଅଧିକାରୀଙ୍କ ପେନ୍ସନ ମଧ୍ୟ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।
ବାଧ୍ୟତାମୂଳକ ଅବସର ପାଇଥିବା ୩ ଜଣଙ୍କ ମଧ୍ୟରୁ ସମ୍ବଲପୁର ମହାନଗର ନିଗମର କମ୍ୟୁନିଟି ଅର୍ଗାନାଇଜର (ଜଟଣୀ ମ୍ୟୁନିସିପାଲ୍ଟି ଓ ଛତ୍ରପୁର ଏନ୍ଏସିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ) ଶ୍ରୀମତୀ ଲଳିତା କପୁରଙ୍କ ନାମରେ ଦୁଇଟି ଦୁର୍ନୀତି ଅଭିଯୋଗ ରହିଛି । ସରକାରୀ ଅର୍ଥ ଆତ୍ମସାତ କରିବା ସହିତ ଆହୁରି ଅନେକ ଦୁର୍ନୀତି ଅଭିଯୋଗ ତାଙ୍କ ନାମରେ ରହିଛି । ବେଲପାହାଡ ମ୍ୟୁନିସିପାଲ୍ଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀଙ୍କୁ ମଧ୍ୟ ଅପାରଗତା ଓ ଅସାଧୁତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଝାରସୁଗୁଡା ମ୍ୟୁନିସ୍ପାଲିଟିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ଅପାରଗତା, ଅସାଧୁତା ଓ ଆର୍ôଥକ ଅନିୟମିତତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ପୁରୀ ଜିଲ୍ଲା ବେତାଲ ଆର.ଆଇ ସର୍କଲର ରାଜସ୍ୱ ନିରୀକ୍ଷକ ମନୋଜ କୁମାର ପରିଡାଙ୍କୁ ଦୁର୍ବ୍ୟବହାର, ବିଶୃଙ୍ଖଳା ଅଚରଣ ଓ କର୍ତବ୍ୟରେ ଅବହେଳା ଓ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ଯୋଗୁ ଚାକିରୀରୁ ବହିଷ୍କୃତ କରାଯାଇଛି । ଉପରୋକ୍ତ ଚାରିଜଣଙ୍କ ସମ୍ପର୍କରେ ମଧ୍ୟ ମୋ ସରକାର ଲରରୟଭବମଳରେ ଜନସାଧାରଣ ପ୍ରତିକୂଳ ମତାମତ ଦେଇଥିଲେ ।
ଏହାସହିତ ଓଡିଶା ପୋଲିସ ସେବା ଅଧିକାରୀ ବଲାଙ୍ଗୀରର ପୂର୍ବତନ ଅତିରିକ୍ତ ଏସ୍.ପି ତଥା ହୋମଗାର୍ଡର ପୂର୍ବତନ ଡି.ଏସ୍.ପି ଶ୍ରୀକାନ୍ତ ମିଶ୍ର ଏବଂ ଗଞ୍ଜାମ ବେଲଗୁଣ୍ଠା ବ୍ଲକ୍ ର ପୂର୍ବତନ ଏ.ଏଫ.ଓ ଏପିଲି ଉଦୟନାଥଙ୍କର ପେନ୍ସନକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ସେମାନଙ୍କ ନାମରେ ଥିବା ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ଯୋଗୁ ଏହି ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଏହି ଆଭିମୁଖ୍ୟ ନେଇ ବର୍ତମାନ ସୁଦ୍ଧା ୧୪୦ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇସାରିଛି ।
