ଇ-ଶ୍ରମ ଯୋଜନାରେ ପଞ୍ଜିକୃତ ହେଲେ ୧୦ କୋଟି ଦେଶବାସୀ
ନୂଆଦିଲ୍ଲୀ : ଦେଶର ବିଭିନ୍ନ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ ଇ-ଶ୍ରମ ପୋର୍ଟାଲ ଲୋକାର୍ପିତ କରାଯାଇଥିଲା । ଏହି ପୋର୍ଟାଲରେ ଦେଶର ୧୦ କୋଟି ଲୋକ ପଞ୍ଜିକରଣ କରାଇ ନିଜର ଇ-ଶ୍ରମ କାର୍ଡ ମଧ୍ୟ ପାଇ ସାରିଛନ୍ତି । ଏହା ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇ-ଶ୍ରମ ଯୋଜନା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ମୋଦୀ କହିଛନ୍ତି ‘ଏହାକୁ ସଂକଳ୍ପରୁ ସିଦ୍ଧି ଆଡ଼କୁ ଯାତ୍ରା ବୋଲି କୁହାଯାଏ । ଦେଶର କୋଟି କୋଟି ଶ୍ରମଜୀବି ଓ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଦେଶବାସୀମାନଙ୍କ ଦ୍ୱାରା ନୂଆ ଭାରତର ମୂଳଦୁଆ ତିଆରି ହେଉଛି । ସେମାନଙ୍କ ସାମାଜିକ ସୁରକ୍ଷାରେ ଦେଶର ଆଗାମୀ ସୁଦୃଢ଼ ଭବିଷ୍ୟତ ଲୁଚି ରହିଛି ।’ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିବା ଦ୍ୱାରା କର୍ମଚାରୀ ମାନଙ୍କର ଡାଟାବେସ ପ୍ରସ୍ତୁତ ହେବ । ପୋର୍ଟାଲ ଦ୍ୱାରା ଯୋଡ଼ିଥିବା କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା ଅଧୀନରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିମା ରାଶି ପାଇ ପାରିବେ । ଏହି ବୀମା ଯୋଜନା ପାଇଁ ପ୍ରିମିୟମ୍ର ଜରୁରୀ ଆବଶ୍ୟକତା ନାହିଁ । ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ରୂପେ ଦିବ୍ୟାଙ୍ଗ ହେଲେ ୨ ଲକ୍ଷ ଟଙ୍କାର ବୀମା ଓ ଆଂଶିକ ଭାବେ ଦିବ୍ୟାଙ୍ଗ ହେଲେ ୧ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ । ବିଭିନ୍ନ ପ୍ରକାରର ସାମାଜିକ ସୁରକ୍ଷା ଯୋଜନାର ବିତରଣ ଏହି ଇ-ଶ୍ରମ ଯୋଜନା ଦ୍ୱାରା କରାଯିବ ।
ଏହାଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ବା ମହାମାରୀ ଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ମିଳିବା ସହଜ ହେବ । ଯଦି ଏହି ପୋର୍ଟାଲ୍ରେ ନିଜର ନାମ ପଞ୍ଜିକରଣ କରିବା ପାଇଁ ଚାହୁଁଛନ୍ତି ; ତେବେ ନିଜର ଆଧାର କାର୍ଡ ଓ ଜନଧନ ବ୍ୟାଙ୍କ ଆକାଉଂଟର ବିବରଣୀ ନେଇ ଆପଣ ନିଜର ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ତଳେ ଦିଆ ଯାଇଥିବା ୱେବସାଇଟ୍ରେ ଲଗ୍ଇନ କରନ୍ତୁ । http://eshram.gov.in ଏହି ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ୧୪୪୩୪ ହେଲ୍ପ ଲାଇନ ନମ୍ବରରେ ମଧ୍ୟ ଯୋଗାଯୋଗ କରି ବିସ୍ତୃତ ସୂଚନା ପାଇପାରିବେ ।
