ବିଧାନସଭାରେ ୧୯,୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ
ଭୁବନେଶ୍ୱର : ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିବସରେ ୨୦୨୧-୨୨ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୯ ହଜାର୮୩୩ କୋଟିର ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଛନ୍ତି । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ସେହିପରି ପଂଚାୟତରାଜ ଓ ଶକ୍ତି ବିଭାଗ ଆଦି ୫ଟି ବିଭାଗ ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ।
ଏଥିରେ ରାଜ୍ୟ ସରକାର ପଂଚାୟତିରାଜ ବିଭାଗ ପାଇଁ ସର୍ବାଧିକ ୩୬୨୪ କୋଟିର ବ୍ୟୟ ବରାଦ କରିଛନ୍ତି । ସେହିପରି ଶକ୍ତି ବିଭାଗ ପାଇଁ ୨୧୪୩ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧୬୦୫ କୋଟି, କୃଷି ପାଇଁ ୧୭୬ କୋଟି, ସ୍ୱାସ୍ଥ୍ୟ ପାଇଁ ୨୩୧୦ କୋଟି, ଅର୍ଥ ବିଭାଗକୁ ୨୫୧୯ କୋଟି ଓ ପ୍ରଶାସନିକ ବ୍ୟୟ ବରାଦ ପାଇଁ ୪୫୭୭ କୋଟି ଟଙ୍କାର ବ୍ୟୟ କରିଛନ୍ତି । ସେହିପରି ବିପର୍ଯ୍ୟୟ ପ୍ରଶମନ ପାଇଁ ୧୬୮୨ କୋଟି କୋଟିର ବ୍ୟୟ ବରାଦ କରାଯାଇଛି । ଖାଦ୍ୟ ଯୋଗାଣ ବିଭାଗ ପାଇଁ ୧୧୪୧ କୋଟି, ସମବାୟ ବିଭାଗ ପାଇଁ ୫୫୩ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୫୭୭ କୋଟିର ବ୍ୟୟ ବରାଦ ହୋଇଛି । ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ୨୦୨୧-୨୨ ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିଥିଲେ । ଅତିରିକ୍ତ ବଜେଟ ଉପସ୍ଥାପନ ବେଳେ ଗୃହରେ ମମିତା ଝଡ଼ ଦେଖିବାକୁ ମିଳିଥିଲା । ମମିତା ମେହେର ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ବିଧାୟକମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ବିରୋଧ ସଭ୍ୟମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ । ବିଜେପି ସଭ୍ୟମାନେ କଳା ଗାମୁଛା ପ୍ରଦର୍ଶନ କରିଥିଲେ ।
