ବହୁ ଚର୍ଚ୍ଚିତ ଅଶ୍ୱିନୀ ବେହେରା ହତ୍ୟାକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ
ନୂଆପଡା : ନୂଆପଡା ଜିଲା ଖଡ଼ିଆଳ ବ୍ଲକ ବରପଦର ଗ୍ରାମର ବହୁ ଚର୍ଚ୍ଚିତ ଅଶ୍ୱିନୀ ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଖଡି଼ଆଳ ପୋଲିସ । ଏହି ଘଟଣା ରେ ମୁଖ୍ୟ ଅଭିଯୁକ୍ତ ହତ୍ୟାକାରୀ ମାନସ ରଞ୍ଜନ ଦାଶକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖଡି଼ଆଳ ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ଗତ ମାସ ୨୦ ତାରିଖ ଦିନ ଅଶ୍ୱିନୀ ବେହେରା ଙ୍କ ମୃତ ଦେହ କେନାଲ ପାର୍ଶ୍ୱରୁ ମିଳିଥିଲା । ସେତେବେଳେ ଅଶ୍ୱିନୀଙ୍କ ମାଁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସର ତଦନ୍ତ ପ୍ରକ୍ରିୟାକୁ ସନ୍ଦେହ କରି ବରପଦର ଗାଁ ବାସୀଙ୍କ ତରଫରୁ ଖଡି଼ଆଳ ଥାନା ଘେରାଉ ମଧ୍ୟ କରଯାଇଥିଲା ।
ଶେଷରେ ବିଳମ୍ବ ହେଲେ ହେଁ ଖଡି଼ଆଳ ପୋଲିସ କୁ ମିଳିଛି ସଫଳତା । ଏହି ହତ୍ୟାକାଣ୍ଡ ଘଟିବାର କାରଣ ମୃତକ ଏବଂ ହତ୍ୟା ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଗୁପ୍ତ ତଥ୍ୟ । ଯେଉଁ ତଥ୍ୟ କି ମୃତକଙ୍କ ମୋବାଇଲରେ ରହିଥିଲା । କାଳେ ତାହା ଅଶ୍ୱନୀ ବେହେରା ଲୋକଲୋଚନକୁ ଆଣିଦେବେ ଓ ଏହା ଲୋକଲଜ୍ୟା ହେବ ବୋଲି ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନିଲ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଆଜି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ହତ୍ୟା ରେ ବ୍ୟବହୃତ ଲୁହା ରଡ଼, ଠେଙ୍ଗା ସହ ଅଭିଯୁକ୍ତ ଙ୍କ ପାଖରୁ ରକ୍ତ ରଞ୍ଜିତ ଲୁଗା କୁ ଜବତ କରିଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଖଡି଼ଆଳ ଏସଡ଼ିପିଓ, ଖଡି଼ଆଳ ଆଇଆଇସିଙ୍କ ସମେତ ତଦନ୍ତ କାରୀ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।
