ଆଜିଠାରୁ ବଦଳିଲା ଏହି ସବୁ ନିୟମ! ପ୍ରଭାବିତ ହେବେ ଜନସାଧାରଣ
ନୂଆଦିଲ୍ଲୀ : ନୂଆ ମାସ ମାସରେ ନିୟମ ପରିବର୍ତ୍ତନ। ଡିସେମ୍ବର ପହିଲାରୁ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଥିମଧ୍ୟରୁ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ଡିସେମ୍ବର ୧ରୁ ଏଲପିଜି ମୂଲ୍ୟ ହ୍ରାସ ହୋଇପାରେ ବୋଲି କୁହାଯାଉଥିଲା। ଏହିପରି ନୂଆ ମାସରେ ନା କେବଳ ଏଲପିଜି ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ହୋଇଛି, ଏହା ବ୍ୟତୀତ ବ୍ୟାଙ୍କିଙ୍ଗ୍ ଓ ପେନସନ୍ ସହିତ ଜଡିତ କିଛି ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି।
ଡିଜେଲ-ପେଟ୍ରୋଲ ଖୁଚୁରା ବିକ୍ରି କରୁଥିବା ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି। ଏହି ସମୟରେ ଅଶୋଧିତ ତୈଳ ମୂଲ୍ୟରେ ବଡ଼ ହ୍ରାସ ଘଟିଛି। ଶୁକ୍ରବାର ବ୍ରେଣ୍ଟ କ୍ରୁଡର ମୂଲ୍ୟ ବ୍ୟାରେଲ ପିଛା ୧୦ ଡଲାର ହ୍ରାସ ପାଇଛି, ଯାହା ଏପ୍ରିଲ ୨୦୨୦ ପର ଠାରୁ ସବୁଠୁ ବଡ଼ ହ୍ରାସ ଅଟେ ଏଭଳି ପରିସ୍ଥିତିରେ ଡିସେମ୍ବର ୧ର ସମୀକ୍ଷା ବୈଠକରେ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯିବା ଆଶା କରାଯାଉଥିଲା। କିନ୍ତୁ ଏହା ୧୦୦ ଟଙ୍କା ମହଙ୍ଗା ହୋଇଛି।
ଯୁଏଏନ ଓ ଆଧାରକୁ ଲିଙ୍କ୍ କରିବାର ସମୟସୀମା ଇପିଏଫଓ ଦ୍ୱାରା ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଥିଲା। ଏଥିରେ ଆଉ କୌଣସି ସମୟ ସୀମା ବୃଦ୍ଧିର ଆଶା ନାହିଁ। ଏପରି ପରିସ୍ଥିତିରେ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁଏଏନ ଓ ଆଧାରକୁ ଲିଙ୍କ୍ କରିନାହାଁନ୍ତି, ସେମାନଙ୍କୁ ଡିସେମ୍ବର ୧ ପୂର୍ବରୁ ଏହି କାର୍ଯ୍ୟ ସମାପ୍ତ କରିବାକୁ ପଡିବ, ନଚେତ୍ ସେମାନଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିବ। ଯଦି ସମୟ ସୀମା ମଧ୍ୟରେ ଯୁଏଏନ ଓ ଆଧାର ଲିଙ୍କ୍ ହୋଇନଥାଏ, ପିଏଫ ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ ନାହିଁ। ଏହିପରି ଗ୍ରାହକମାନେ ମଧ୍ୟ ପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ସମର୍ଥ ହେବେ ନାହିଁ।
ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ନଭେମ୍ବର ୩୦ ସୁଦ୍ଧା ସେମାନଙ୍କ ପେନସନ୍ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ। ଏହି ଡକ୍ୟୁମେଣ୍ଟ ଦାଖଲ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୩୦ ଥିଲା। ଯଦି ସମୟ ସୀମା ମଧ୍ୟରେ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରା ନ ଯାଏ, ତେବେ ଏପରି ସରକାରୀ ପେନସନଧାରୀଙ୍କୁ ପେନସନ୍ ମିଳିବା ବନ୍ଦ ହୋଇଯିବ। ଇପିଏଫ୍ଓର ଟ୍ୱିଟ୍ ଅନୁଯାୟୀ, ସରକାରୀ ପେନସନଭୋଗୀଙ୍କୁ ନଭେମ୍ବର ୩୦ ସୁଦ୍ଧା ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ, ଯାହା ଏକ ବର୍ଷ ପାଇଁ ବୈଧ ହେବ।
ଏସବିଆଇ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଡିସେମ୍ବର ପହିଲାରୁ ପରିବର୍ତ୍ତନ ମଧ୍ୟ ଆସିବାକୁ ଯାଉଛି। ବର୍ତ୍ତମାନ ଏସବିଆଇ କ୍ରେଡିଟ୍ କାର୍ଡ ଇଏମଆଇରେ ସପିଂ କରିବା ମହଙ୍ଗା ହୋଇଛି। ପୂର୍ବରୁ ଏସବିଆଇ କ୍ରେଡିଟ୍ କାର୍ଡ କେବଳ ସୁଧ ଆଦାୟ କରୁଥିଲା, କିନ୍ତୁ ବର୍ତ୍ତମାନ ଇଏମଆଇ ଉପରେ କ୍ରୟ କରିବା ସମୟରେ ପ୍ରସେସିଂ ଫି ମଧ୍ୟ ଦେବାକୁ ପଡିବ। ଏହା ସିବିଆଇ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ।
ଅଧିକାଂଶ ବ୍ୟାଙ୍କର ହୋମ ଲୋନ୍ (ଗୃହ ଋଣ) ଅଫର ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ଲାଗୁ ରହିଛି। କିନ୍ତୁ ଏଲଆଇସି ହାଉସିଂ ଫାଇନାନ୍ସ ଅଫର ନଭେମ୍ବର ମାସରେ ସମାପ୍ତ ହୋଇଛି। କମ୍ପାନୀ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଯୋଗ୍ୟ ଗ୍ରାହକଙ୍କୁ ୬.୬୬ ପ୍ରତିଶତ ହାରରେ ଘର କରିବା ପାଇଁ ଋଣ ପ୍ରଦାନ କରୁଥିଲା, ଯାହା ନଭେମ୍ବର ୩୦ରେ ଶେଷ ହୋଇଛି।
