କ୍ରିପ୍ଟୋକରେନ୍ସିକୁ ନେଇ ଲୋକସଭାରେ ଆସିବ ନୂଆ ବିଲ
ନୂଆଦିଲ୍ଲୀ : କ୍ରିପ୍ଟୋକରେନ୍ସିକୁ ନେଇ ଲୋକସଭା ରେ ଏକ ନୂଆ ବିଲ ଆସିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ | କ୍ରିପ୍ଟୋକରେନ୍ସିରେ ନିବେଶ କରିବା ପାଇଁ ଗ୍ରାହକଙ୍କ ଉପରେ ପ୍ରତିବନ୍ଧକ ଲଗାଇବା କଥା ପୂର୍ବରୁ ଶୁଣାଯାଉଥିଲେ ମଧ୍ୟ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଅର୍ଥମନ୍ତ୍ରୀ | ସେ କହିଛନ୍ତି ଏଥିପାଇଁ ନୂଆ ବିଲ ପ୍ରଣୟନ କରାଯିବ | ନୂଆ ବିଲକୁ ଆମେ ନେଇକି ଆସିଚୁ | ଥରେ ଖାଲି କ୍ୟାବିନେଟରେ ମଞ୍ଜୁରୀ ମିଳିବା ପରେ ଏହାକୁ ଲୋକସଭାରେ ପାରିତ କରାଯିବ | କିଛି ଲୋକ ସରକାର କ୍ରିପ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ଦେଇ ନଥିବାରୁ ଟିଭି ଓ ଖବରକାଗଜରେ ଏସଂକ୍ରାନ୍ତ ବିଜ୍ଞାପନ ଉପରେ ରୋକ ଲଗାନ୍ତୁ ବୋଲି କହିଥିଲେ। ହେଲେ ଏହା ଉପରେ ବ୍ୟାନ ଲାଗିବ ନାହିଁ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ବିହାର ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପ୍ରଶ୍ନରେ ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏହା ଏକ ବିପଦପୂର୍ଣ୍ଣ ପ୍ରସଙ୍ଗ ଏବଂ ସମ୍ପୂର୍ଣ୍ଣ ନିୟାମକ ଢାଞ୍ଚା ପରିସରକୁ ଆସିନାହିଁ । ଆରବିଆଇ ଏବଂ ସେବି ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଉଛି । କ୍ୟାବିନେଟରେ ମଞ୍ଜୁରୀ ପାଇବା ପରେ ସରକାର ଏହାକୁ ଗୃହରେ ଆଗତ କରିବେ । ଏହାର ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ କୌଣସି ନିଷ୍ପତ୍ତି ନିଆଯାଇଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ସୁଶୀଲ । ସଂସଦର ଶୀତକାଳୀନ ଅଧିବେଶନ ପାଇଁ ସରକାରଙ୍କ ଏଜେଣ୍ଡା ଉପରେ ୨୬ଟି ନୂତନ ବିଲ୍ ମଧ୍ୟରେ କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍-୨୦୨୧ ମଧ୍ୟ ସୂଚୀତ ରହିଛି । କିଛି ଦିନ ପୂର୍ବରୁ କ୍ରିପ୍ଟୋକରେନ୍ସି କାରବାର ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ଏହା ସମ୍ପର୍କିତ ଏକ ଆଇନର ଆବଶ୍ୟକତା ଥିବା ମଧ୍ୟ ଇଙ୍ଗିତ ଦେଇଥିଲେ । ପରେ ଶୀତ ଅଧିବେଶନରେ ଏହା ସମ୍ପର୍କିତ ବିଲ ଆସିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବାବେଳେ କେବଳ କ୍ୟାବିନେଟ ମଞ୍ଜୁରୀକୁ ଅପେକ୍ଷା କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
