ସମ୍ଭାବ୍ୟ ବାତ୍ୟା ନେଇ ଆଡଭାଇଜରୀ : ଫସଲ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେଲା କୃଷି ବିଭାଗ
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀ ମାନଙ୍କ ପାଇଁ ଆଡଭାଇଜରୀ ଜାରି କରିଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ଶତକଡା ୮୫ ଭାଗ ପାଚିଯାଇଥିଲେ ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖନ୍ତୁ । କଟା ହୋଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ ଧାନ ଅମଳ ସମ୍ଭବ ନହେଲେ ପଲିଥିନ ଘୋଡାଇ ସୁରକ୍ଷିତ ରଖିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିବା , ଧାନଗଛ ପଡି ଯାଇଥିଲେ ହଳା କରି ଠିଆ କରିବା କୁ କୁହାଯାଇଛି । ଧାନ କାଟି ବିଲରେ ଶୁଖାନ୍ତୁ ନାହିଁ , ବର୍ଷା ସମୟରେ କୌଣସି କୀଟନାଶକ ସିଂଚନ କରନ୍ତୁ ନାହିଁ , ମୁଗ,ବିରି ଓ ପନିପରିବା ଫସଲରେ ପାଣି କାଟିବା ବ୍ୟବସ୍ଥା କରନ୍ତୁ , କପା ଫସଲରେ ପାକଳ ହୋଇଥିବା ବକରାଗୁଡିକୁ ତୋଳି ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ , ରବି ଫସଲ ବିଶେଷକରି ଆଳୁ ଲଗାଇବାକୁ ସାମୟିକ ସ୍ଥଗିତ ରଖିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାିଛି ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ଅଧିକାରୀ ମାନଙ୍କ ସହ ଏକ ଆଭାସୀ ବୈଠକ କରାଯାଇଥିଲା । ବୈଠକ ପରେ ସମସ୍ତ ଅଧିକାରୀମାନେ ଆସନ୍ତା ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ନିଶ୍ଚିତ ରୂପେ ନିଜର ମୁଖ୍ୟ କାର୍ୟାଳୟରେ ଉପସ୍ଥିତ ରହିବାକୁ ଏବଂ ଫସଲ ସୁରକ୍ଷା ଉପଦେଶାବଳୀକୁ କମ୍ୟୂନିଟି ରେଡିଓ ଏବଂ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀମାନଙ୍କୁ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ଡିସେମ୍ବର ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇ ୪ ତାରିଖ ସକାଳ ଦକ୍ଷିଣ-ଉତର ଆନ୍ଧ୍ର ଉପକୂଳରେ ପହଂଚିବ । ଏହା ପ୍ରଭାବରୁ ୩ ତାରିଖ ରାତିରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ ଏବଂ ୪ ତାରିଖରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ବର୍ତମାନ ପରିପ୍ରେକ୍ଷୀରେ ଓଡିଶାର ଉପକୂଳବର୍ତୀ ଜିଲ୍ଲାମାନଙ୍କରେ ୯୦% ଧାନ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ୫୦% ଧାନ କଟା ହେବାକୁ ବାକିଛି । ମଧ୍ୟମ କିସମ ଧାନ କଟା ଚାଲିଛି । କପା ତୋଳିବା ଚାଲିଛି ଏବଂ ରବି ଫସଲ ଯଥା ମୁଗ, ବିରି, ପନିପରିବା ବୁଣା ଚାଲିଛି । ସେଥିପାଇଁ ସମସ୍ତ ଜିଲ୍ଲାର ଗାଁ ଗାଁରେ ନିଜ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ମାଇକ ଦ୍ୱାରା ପ୍ରଚାର କାର୍ଯ୍ୟ ଚାଲୁ ରହିଛି ।
