ଆଜିଠୁ ବିଧାନସଭାରେ ଶୀତକାଳୀନ ଅଧିବେଶନ
ଭୁବନେଶ୍ୱର : ବୁଧବାର ଠାରୁ ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଳିବାକୁ ଥିବା ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ ୫ଟା ସମୟରେ ୨୦୨୧-୨୨ ଆର୍ôଥକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ । ଅପରପକ୍ଷରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ପ୍ରଶ୍ନକାଳ ସମୟରେ ହଟ୍ଟଗୋଳ ନ କରିବା ପାଇଁ ସଭ୍ୟମାନଙ୍କୁ କୁହାଯାଇଛି । ନ ମାନିଲେ ଆଇନ ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଚାଲିବାକୁ ଥିବା ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ , ସେମାନଙ୍କ କର୍ମଚାରୀ , ବିଧାନସଭା କର୍ମଚାରୀ ଓ ସାମ୍ବାଦିକ ମାନଙ୍କର କୋଭିଡ୍ ପରୀକ୍ଷା କରାଯାଇଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଧିବେଶନ ପୂର୍ବରୁ ମଙ୍ଗଳବାର ୩ ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ବସି ଦଳର ରଣନୀତି ପ୍ରସ୍ତୁତ କରାଯାଇଛି । ବିରୋଧୀ ଦଳ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା , ମମିତା ମେହେର ହତ୍ୟାକାଣ୍ଡ, ମହିଳା ବିରୋଧୀ ଅପରାଧ ବୃଦ୍ଧି , ମଣ୍ଡି ଅବ୍ୟବସ୍ଥା ଆଦିକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବେ । ଅପରପକ୍ଷରେ ଶାସକ ଦଳ କେନ୍ଦ୍ରୀୟ ଅବହେଳା ଓ ଦରଦାମ୍ ବୃଦ୍ଧି କୁ ଢାଲ କରିବ ।
ଏଥର ମଧ୍ୟ ୨ ଟି ପର୍ଯ୍ୟାୟରେ ଦିନକୁ ୫ ଘଂଟା ଗୃହର ବୈଠକ ବସିବ । ଡିସେମ୍ବର ୧ ତାରିଖ ଦିନ ଗୃହର ପ୍ରାରମ୍ଭିକ ଅଧିବେଶନ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ ଏବଂ ଅନ୍ୟ ଦିନରେ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ମିନିଟ୍ ଏବଂ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଗୃହର ପ୍ରାରମ୍ଭିକ ଦିବସରେ ଶୋକ ପ୍ରସ୍ତାବ ଆଗତ ହେବ ଏବଂ ଗୃହ ସେହି ଦିନ ପାଇଁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ରହିବ । ଅପରାହ୍ନ ୫ଟା ସମୟରେ ୨୦୨୧-୨୨ ଆର୍ôଥକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ । ଗୃହରେ ନିୟମିତ ଭାବେ ଉଭୟ ତାରକା ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନମାନଙ୍କର ଉତର ରଖାଯିବ । ଠିକ୍ ସେହିଭଳି ଗୃହରେ ମୁଲତବୀ ପ୍ରସ୍ତାବ ମଧ୍ୟ ବିରୋଧୀଦଳ ତରଫରୁ ଆଗତ କରାଯାଇପାରିବ । ମୁଲତବୀ ପ୍ରସ୍ତାବ ୯୦ ମିନିଟ ଆଲୋଚନା ହେବ । ବିରୋଧୀ ୫୫ ମିନିଟ ଓ ମନ୍ତ୍ରୀଙ୍କ ଉତର ସହ ଶାସକ ଦଳ ପାଇଁ ୩୫ ମିନିଟ ରହିବ । ସପ୍ତାହକ ୬ ଦିନ ଭିତରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତାବ ଦେଇ ପାରିବେ ।
ସମ୍ପର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ କାର୍ଯ୍ୟ ଚାଲିବ ଏବଂ ପୂର୍ବ ଥର ଭଳି ବିଧାୟକମାନଙ୍କ ପାଇଁ ଆସନ ବ୍ୟବସ୍ଥା ଗ୍ରହଣ କରାଯିବ । ପ୍ରତ୍ୟହ ବିଧାନସଭାକୁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ବିଶୋଧନ କରାଯିବ । ଗଣମାଧ୍ୟମ ପ୍ରତିନିଧିମାନେ ବିଧାନସଭା କାର୍ଯ୍ୟକ୍ରମକୁ ବିଧାନସଭା ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ପ୍ରସାରଣ ବ୍ୟବସ୍ଥା କରିପାରିବେ । ଓକାକ୍, ଭୁବନେଶ୍ୱର, ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ, ବିରୋଧୀ ଦଳ ନେତା ଏବଂ ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳମାନଙ୍କ ଭିଡିଓ ସମ୍ମିଳନୀ କକ୍ଷରେ ଉପସ୍ଥିତ ହୋଇ ସଭ୍ୟମାନେ ଗୃହର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିପାରିବେ ।
