କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ଲାଲ୍ ବାହିନୀ : କେକେବିଏନ୍ ମାଓ ସଂଗଠନର ପୋଷ୍ଟର ଜାରି
କନ୍ଧମାଳ : କିଛି ମାସର ନିରବତା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳରେ ପୁଣି ସ୍ଥିତି ଜାହିର କରିଛି ଲାଲ୍ ବାହିନୀ । ବାଟାଗୁଡା, ରେବିଙ୍ଗିଆ, ମିଡ଼ିଆପାଙ୍ଗା ଓ ବାରଖମାର ଆଦି ବିଭିନ୍ନ ସ୍ଥାନରେ କେକେବିଏନ ମାଓ ସଂଗଠନ ପୋଷ୍ଟର ଜାରି କରିଥିବା ଦେଖିବାକୁ ମିଳିଛି ।
ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳିବାକୁ ଆହ୍ୱାନ ଦିଆଯାଇଥିବାବେଳେ ଜୀବନ ପାଇଁ ଜଙ୍ଗଲକୁ ଏକ ମାସ ପର୍ଯ୍ୟନ୍ତ ନଯିବାକୁ ପୋଷ୍ଟର ମାଧ୍ୟମରେ ଅଂଚଳବାସୀଙ୍କୁ ନିବେଦନ କରିଛି ସଂଗଠନ । ଜଙ୍ଗଲରେ ଜାଗା ଜାଗାରେ ଲାଗିଥିବା ପୋଷ୍ଟରରେ ଏହା ଉଲ୍ଲେଖ ରହିଛି । ଗଞ୍ଜେଇ ଚାଷ ନଷ୍ଟ କରିବା ଉଦ୍ଦେଶ୍ୟରେ ମାଓ ଦମନକୁ ବିରୋଧ କରିବା ସହ ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ପୋଷ୍ଟର ମାଧ୍ୟମରେ କୁହାଯାଇଛି । ଏକା ସାଙ୍ଗରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ଅଂଚଳରେ ମାଓ ପୋଷ୍ଟର ଦେଖି ଅଂଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
