ବଡ଼ ଖବର! ବଦଳିଲା ଏଟିଏମରୁ ଟଙ୍କା ଉଠାଇବା ନିୟମ, ଏମିତି ନ କଲେ ବାହାରିବନି ଟଙ୍କା
ନୂଆଦିଲ୍ଲୀ : ଏଟିଏମରୁ ନଗଦ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ ଆସିଛି। ଏଟିଏମ୍ କାରବାରକୁ ଅଧିକ ସୁରକ୍ଷିତ କରିବା ପାଇଁ ଷ୍ଟେଟ ବ୍ୟାଙ୍କ ଏକ ନୂତନ ପଦକ୍ଷେପ ନେଇଛି। ବର୍ତ୍ତମାନ ଏସବିଆଇ ଏଟିଏମରୁ ନଗଦ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ଓଟିପି ଏଣ୍ଟ୍ରୀ କରିବାକୁ ପଡିବ। ଏହି ନୂତନ ନିୟମରେ ଗ୍ରାହକମାନେ ବିନା ଓଟିପିରେ ନଗଦ ଟଙ୍କା ଉଠାଇବାକୁ ସକ୍ଷମ ହେବେ ନାହିଁ। ଟଙ୍କା ଉଠାଇବା ସମୟରେ ଗ୍ରାହକମାନେ ରେଜିଷ୍ଟର ମୋବାଇଲ୍ ଫୋନରେ ଏକ ଓଟିପି ପାଇବେ। ଏହି ଓଟିପି ଏଣ୍ଟ୍ରୀ ପରେ ହିଁ ଏଟିଏମରୁ ଟଙ୍କା ବାହାରିବ।
ଏଟିଏମରୁ ନଗଦ ଟଙ୍କା ଉଠାଇ ପ୍ରକ୍ରିୟାରେ ପରିବର୍ତ୍ତନ ନେଇ ଷ୍ଟେଟ ବ୍ୟାଙ୍କ ନଭେମ୍ବର ୨୧ରେ ଟୁଇଟ୍ କରି ଏହି ସୂଚନା ଦେଇଛି। ଏହି ଟୁଇଟରେ ଲେଖାଅଛି, ‘ଏସବିଆଇ ଏଟିଏମରେ କାରବାର ପାଇଁ ଆମର ଓଟିପି ଆଧାରିତ ନଗଦ ଉଠାଣ ବ୍ୟବସ୍ଥା ଠକମାନଙ୍କ ବିରୋଧରେ ଟିକାକରଣ ସଙ୍ଗେ ସମମାନ। ଆପଣଙ୍କୁ ଠକାମିରୁ ରକ୍ଷା କରିବା ସର୍ବଦା ଆମର ସର୍ବୋଚ୍ଚ ପ୍ରାଥମିକତା ହେବ। ଓଟିପି ଆଧାରିତ କ୍ୟାସ ୱିଥଡ୍ର ବ୍ୟବସ୍ଥା କିପରି କାର୍ଯ୍ୟ କରିବ ସେ ବିଷୟରେ ଏସବିଆଇ ଗ୍ରାହକମାନେ ସଚେତନ ହେବା ଉଚିତ୍।
ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ ୧୦୦୦୦ କିମ୍ବା ତଦୁର୍ଦ୍ଧ ଟଙ୍କା ଉଠାଣ ଉପରେ ଓଟିପି ନିୟମ ପ୍ରଯୁଜ୍ୟ ହେବ। ଗ୍ରାହକଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସେମାନଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଆସିଥିବା ଓଟିପି ଏବଂ ଡେବିଟ୍ କାର୍ଡ PIN ସହିତ ପ୍ରତ୍ୟେକ ଥର ଏଟିଏମରୁ ୧୦୦୦୦ ଟଙ୍କା ବା ତା’ଠାରୁ ଅଧିକ ଟଙ୍କା ଉଠାଇପାରିବେ।
ଏସବିଆଇ ଏଟିଏମରୁ ନଗଦ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ଏକ ଓଟିପି ଦରକାର। ଏଥିପାଇଁ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ ଓଟିପି ପଠାଯିବ। ଏହି ଓଟିପି ଏକ ଚାରି ଅଙ୍କ ବିଶିଷ୍ଟ ନମ୍ବର ହେବ ଯାହା ଗ୍ରାହକ ଗୋଟିଏ ଟ୍ରାଞ୍ଜାକସନ ପାଇଁ ପାଇବେ। ଥରେ ଆପଣ ଟଙ୍କା ଉଠାଇବାକୁ ଚାହୁଁଥିବା ରାଶି ଏଣ୍ଟ୍ରି କରିବା ପରେ ଆପଣଙ୍କୁ ଏଟିଏମ୍ ସ୍କ୍ରିନରେ ଓଟିପି ଏଣ୍ଟ୍ରି କରିବାକୁ କୁହାଯିବ। ଓଟିପି ଏଣ୍ଟ୍ରି କରିବା ପରେ ଏଟିଏମରୁ ଟଙ୍କା ବାହାରିବ।
କିଭିଳ ଗ୍ରାହକମାନେ ଠକାମିରୁ ରକ୍ଷା ପାଇପାରିବେ, ସେଥିପାଇଁ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି। ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଏସବିଆଇର ୨୨୨୨୪ଟି ଶାଖା ଏବଂ ୬୩୯୦୬ଟି ଏଟିଏମ୍ / ସିଡିଏମ୍ ସହିତ ଭାରତରେ ୭୧୭୦୫ଟି ଆଉଟଲେଟ୍ ଅଛି। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୯୧ ମିଲିୟନ୍ ଏବଂ ୨୦ ମିଲିୟନ୍।
