ଧାନ ଜଗିଥିବା ବେଳେ ଦଳିଦେଲା ହାତୀ, କ୍ଷତିପୂରଣ ଦାବି କଲେ ଗ୍ରାମବାସୀ
ବଲାଙ୍ଗୀର : ଲୋଇସିଂହା ବ୍ଲକ ଅଞ୍ଚଳରେ ହାତୀପଲ ଖେଳାଇଲେ କୋକୁଆ ଭୟ । ଧାନ ଜଗିଥିବା ବେଳେ ଚାଷୀକୁ ଦଳିଦେଲେ ହାତୀପଲ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଏହି ଘଟଣା ଘଟିଛି ବାଡ଼ିପାଲି ପଞ୍ଚାୟତର ଭାଲୁ ପାଲି ଗ୍ରାମରେ । ତେବେ ବଲାଙ୍ଗୀର ଲୋଇସିଂହା ବ୍ଲକ ଅଞ୍ଚଳରେ କିଛି ଦିନ ହେବ ୨୫ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳୁଛି ।
ତେବେ ଏହି ଗ୍ରାମବାସୀ ହାତୀଙ୍କ ଠାରୁ ଚାଷଜମି ବଞ୍ଚାଇବା ପାଇଁ ଧାନ ବିଲ ଜଗିଥାନ୍ତି । ୪୭ ବର୍ଷ ବୟସ୍କ ଗୋପାଳ ପୋଢ଼ ନିଜ କ୍ଷେତ ଜଗିଥିବା ବେଳେ ହାତୀ ହାବୁଡରେ ପଡ଼ିଥିଲେ । ହାତୀ ପଲ ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ବଲାଙ୍ଗୀର ଲୋଇସିଂହା ରେଞ୍ଜ ବନ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି। ଅନ୍ୟପଟେ ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।
