ଏକ୍ସପାରୀ ମେଡ଼ିସିନ ପ୍ରତି ଧ୍ୟାନ ଦେବାକୁ ମାର୍ଗଦର୍ଶିକା ଜାରି କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ଏକ୍ସପାରୀ ମେଡ଼ିସିନ ନ ଦେବାକୁ ସବୁ ମେଡିକାଲ କଲେଜ ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ । ରାଜ୍ୟରେ ଅଧିକାଂଶ ସ୍ଥାନରୁ ଏପରି ଅଭିଯୋଗ ଆସିବା ପରେ ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ବିଜୟ କୁମାର ମହାପାତ୍ର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ।
ମାର୍ଗଦର୍ଶିକା ଅନୁଯାୟୀ ଯେ କୌଣସି ପରିପ୍ରେକ୍ଷୀରେ ଏକ୍ସପାରୀ ମେଡ଼ିସିନ ରୋଗୀଙ୍କୁ ଯେପରି ଦିଆନଯାଏ ସେଥିପ୍ରତି ଦୃଷ୍ଟି ଦେବାକୁ ରାଉରକେଲା, ଭୁବନେଶ୍ବର ମୁଖ୍ୟ ଚିକିତ୍ସାଳୟ ସମେତ ସବୁ ମେଡିକାଲ କଲେଜ ଏବଂ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀଙ୍କୁ ଔଷଧ ଦେବା ପୂର୍ବରୁ ତା’ର ଅବଧିକୁ ବାରମ୍ବାର ଦେଖିବାର ଆବଶ୍ୟକତା ରହିଛି । ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକ ତାଲିମ ଦେବା ଦରକାର ।
ରାଜ୍ୟ ଔଷଧ ନିଗମ ପକ୍ଷରୁ ପର୍ଯ୍ୟାୟକ୍ରମେ ତାଲିମ ପ୍ରଦାନ କରାଯାଉଛି । ଏହାବାଦ୍ ସରକାରଙ୍କ ପକ୍ଷରୁ ଏନେଇ ସ୍ବତନ୍ତ୍ର ପ୍ରଣାଳୀ ଜାରି କରାଯାଇଛି । ଏହାକୁ ମଧ୍ୟ ଡାକ୍ତରଖାନା ଗୁଡିକରେ ଠିକଣା ଭାବେ ଅନୁସରଣ କରାଯାଉନାହିଁ, ଯେଉଁଥିପାଇଁ ଏହି ସମସ୍ୟା ଉପୁଜୁଛି । ଏଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ସହିତ ସମୟ ପୂର୍ବରୁ ଔଷଧ ଦିଆଗଲେ ରୋଗୀଙ୍କ ପ୍ରତି ଭୟ ରହିବ ନାହିଁ । ଯଦି ଜଣେ ରୋଗୀ ଥରେ ଅବଧି ଶେଷ ଔଷଧ ନେଉଛି ତେବେ ତା’ର ପାର୍ଶ୍ବ ପ୍ରତିକ୍ରିୟା କେଉଁ ଆଡକୁ ଯିବ ତାହା ନିରୂପଣ କରିବା କଷ୍ଟକର । କମ୍ ପରିମାଣର ଔଷଧ କ୍ଷତି ସହିହେବ କିନ୍ତୁ ଜଣେ ରୋଗୀଙ୍କ ମୃତ୍ୟୁ ସହ୍ୟ ହେବନାହିଁ । ତେଣୁ ଏସମସ୍ତ ଦିଗ ପ୍ରତି ଧ୍ୟାନ ଦେବାକୁ ଡ. ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।
