ଦୀର୍ଘ ପ୍ରତିକ୍ଷାର ଅନ୍ତଃ : କୋଟିଆରେ ପ୍ରଥମ ଥର ପାଇଁ ଆମ୍ବୁଲାନ୍ସ ସେବା
କୋରାପୁଟ : ଦୀର୍ଘ ପ୍ରତିକ୍ଷାର ଅନ୍ତଃ । କୋଟିଆକୁ ମିଳିଲା ଆମ୍ବୁଲାନ୍ସ ସେବା । କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ କୋଟିଆ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଗୋଟିଏ ଆମ୍ବୁଲାନ୍ସ ଯୋଗାଇଦିଆଯାଇଛି । ଆମ୍ବୁଲାନ୍ସ ସୁବିଧା ନଥିବା କୋଟିଆରେ ପ୍ରଥମ ଥର ପାଇଁ ଆମ୍ବୁଲାନ୍ସ ସେବା ପହଞ୍ଚିଛି ।
ଓଡିଶା ଓ ଆନ୍ଧ୍ର ମଧ୍ୟରେ ଚାଲିଥିବା ସୀମାବିବାଦ ମଧ୍ୟରେ ଛନ୍ଦି ହୋଇପଡିଥିବା କୋଟିଆବାସୀ ଆମ୍ବୁଲାନ୍ସ ଟିଏ ପାଇଁ ଚାତକ ପକ୍ଷୀ ଭଳି କରିଥିବା ଅପେକ୍ଷାର ଅବସାନ ଘଟିଛି । ସରକାରଙ୍କ ପ୍ରତିଶ୍ରୁତିର ଅନେକ ଦିନର ପ୍ରତୀକ୍ଷା ପରେ ଗୋଟିଏ ଆମ୍ବୁଲାନ୍ସ କୋରାପୁଟରୁ କୋଟିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଆଜି କୋଟିଆ ସମେତ ଜିଲ୍ଲାର ଲକ୍ଷ୍ମୀପୁର , ଦଶମନ୍ତପୁର , କୋଟପାଡ ଓ ନାରାୟଣପାଟଣା ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ଜିଲା ମିନେରାଲ ଫଣ୍ଡ ସହାୟତାରେ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ କୋରାପୁଟ ଜିଲା ପ୍ରଶାସନ ପ୍ରଦାନ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରା କହିଛନ୍ତି । କୋରାପୁଟ ସିଡିଏମଓ କାର୍ଯ୍ୟାଳୟରେ ଆମ୍ବୁଲାନ୍ସ ଗୁଡିକୁ ତଦାରଖ କରିବା ପରେ ଡାକ୍ତର ବେଉରା ସେହି ଆମ୍ବୁଲାନ୍ସ ଗୁଡିକୁ ସମ୍ପୃକ୍ତ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ ପଠାଇଦେଇଛନ୍ତି । ସେଗୁଡିକୁ ସେହି ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଲୋକାର୍ପଣ କରାଯିବ ବୋଲି ଜିଲାସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।
