ଶ୍ରୀମନ୍ଦିରରେ ପଢୁଆଁ ହେବେ ଶ୍ରୀଜିଉ, ମାମୁଁଘରୁ ଆସିଲା ଭାର
ପୁରୀ : ଆସନ୍ତାକାଲି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପଢୁଆଁ ହେବେ ଶ୍ରୀଜିଉ । ଏଥିପାଇଁ ଶୁକ୍ରବାର ମାମୁଁ ଘର ମାଧବାନନ୍ଦଜୀଉ ପକ୍ଷରୁ ଆସିଛି ପଢୁଆଁ ଭାର। ବଡଠାକୁର ଜଗନ୍ନାଥ ଓ ବଡ ଭାଇ ବଳଭଦ୍ର ମା’ ସୁଭଦ୍ରା ଆସନ୍ତାକାଲି ପଢୁଆଁ ହେବେ ।
ନୂଆ ବସ୍ତ୍ର, ତୁଳସୀ ପତ୍ର ଠାରୁ ଆରମ୍ଭ କରି ନୈବିଦ ପର୍ଯ୍ୟନ୍ତ ସବୁକିଛି କାନ୍ଧେଇ ନେଉଛନ୍ତି ସେବାୟତ । ପୁରାଣ ଓ ଲୋକକଥା ଅନୁସାରେ ବଡଠାକୁରଙ୍କ ମାମୁଁ ଘର ହେଉଛି କଟକ ଜିଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ମାଧବାନନ୍ଦଜୀଉ । ପ୍ରତିବର୍ଷ ଶ୍ରୀମନ୍ଦିରକୁ ମାଧବାନନ୍ଦଜୀଉ ପକ୍ଷରୁ ପଢୁଆଁ କରାଯାଇଥାଏ । ଏବେ ବିକାଶ ପରିଷଦ ମଧ୍ୟ ପଢୁଆଁ ଭାର ପାଇଁ ସହଯୋଗର ହାତ ବଢ଼ାଇଛି । ମାମୁଁ ଘର ମାଧବାନନ୍ଦଜୀଉ ଟ୍ରଷ୍ଟ ଓ ବିକାଶ ପରିଷଦ ତରଫରୁ ଖଣ୍ଡୁଆପାଟ, ବିରି, ଅରୁଆ ଚାଉଳ, ନଡ଼ିଆ, ଘିଅ, ଭୋଗ, କଦଳୀ ଓ ତୁଳସୀ ପତ୍ର ଧରି ୩୬ ନିଯୋଗ କାନ୍ଧରେ ଧରି ଆଜି ଭଣଜା ନିକଟକୁ ବାହାରିଛନ୍ତି । ଶନିବାର ଖଣ୍ଡୁଆପାଟ ପିନ୍ଧି ପଢୁଆଁ ହେବେ ୩ ଠାକୁର । ଭଣଜା ପାଖକୁ ଭାର ଯିବା ସମୟରେ ନିଆଳି ଓ ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଶଙ୍ଖ, ଘଣ୍ଟ, ମୃଦଙ୍ଗ, ଶିଙ୍ଗାର, ନୃତ୍ୟ ଓ ଭଜନ ପରିବେଷଣ କରିଛନ୍ତି । ଏହି ପଢୁଆଁ ପରମ୍ପରା ବହୁ ପ୍ରାଚୀନ ଓ ପୁରାତନ । କିନ୍ତୁ କିଛି ବର୍ଷ ହେବ ବନ୍ଦ ହୋଇଯାଇଥିଲା ୨୦୧୯ ମସିହା ଠାରୁ ପୁଣି ଥରେ ଆରମ୍ଭ ହୋଇଛି ମାମୁଁ ଓ ଭଣଜାଙ୍କ ପଢୁଆଁ ପରମ୍ପରା ।
