ମହିଳାଙ୍କ ପାଇଁ ଭୁବନେଶ୍ୱର ଅସୁରକ୍ଷିତ : ବିକାଶରେ ପଛଆଡୁ ୧୩, ଅପରାଧରେ ଉପରୁ ୭
ଭୁବନେଶ୍ୱର : ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ମହିଳା ଅସୁରକ୍ଷିତ। ଓଡ଼ିଶା ବିଧାନସଭା ଆରମ୍ଭ ହେବାର କିଛି ଦିନ ପୂର୍ବରୁ ନୀତି ଆୟୋଗ ଏଭଳି କିଛି ଚିଠା ଦେଇଛନ୍ତି। ସହରାଞ୍ଚଳର ବିକାଶ ମାନ୍ୟତା ପାଇଁ ମନୋନୀତ ୫୬ଟି ସହର ମଧ୍ୟରୁ କେବଳ ଭୁବନେଶ୍ୱର ୪୪ତମ ସ୍ଥାନ ହାସଲ କରିଛି। ହେଲେ ତାଲିକାରେ ରାଜଧାନୀ ଭୁବନେଶ୍ୱର ଆଉ ଏକ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ମାମଲାରେ ଦେଶର ୭ମ ସହର ଭାବରେ ମଧ୍ୟ ଗଣିତ ହୋଇଛି।
ମହିଳାଙ୍କ ପାଇଁ ରାଜଧାନୀ ଭୁବନେଶ୍ୱର ଅସୁରକ୍ଷିତ। ନୀତି ଆୟୋଗର ସହରାଞ୍ଚଳର ବିକାଶ ମାନ୍ୟତା ପାଇଁ ମନୋନୀତ ହୋଇଥିବା ୫୬ଟି ସହର ମଧ୍ୟରେ କେବଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ୪୪ତମ ସ୍ଥାନ ହାସଲ କରିଛି। ଗୋଟାଏ ପଟେ ଭୁବନେଶ୍ବର ତାହାର ସ୍ଥିତି ବଜାୟ ରଖିବାକୁ ବିଫଳ ହେଉଥିବା ବେଳେ ଏଠାରେ ରହୁଥିବା ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ହାରରେ ସପ୍ତମ ସହର ଭାବରେ ମଧ୍ୟ ସ୍ଥାନ ପାଇଛି। ନୀତି ଆୟୋଗର ଏଭଳି ରିପୋର୍ଟ ପ୍ରକାଶ ହେବା ପରେ ରାଜଧାନୀରେ ଅପରାଧ ରୋକିବା ଦାୟିତ୍ବରେ ଥିବ କମିଶନରେଟ ପୋଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।
ଯୌନ ହିଂସା କିମ୍ବା ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନେଇ ରାଜ୍ୟ ରାଜଧାନୀର ଖରାପ ପ୍ରଦର୍ଶନ ଓଡିଶାର ଅନ୍ୟ ଜିଲ୍ଲା ତଥା ଗ୍ରାମ ସ୍ତରରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ପଦାରେ ପକାଇଛି। ପ୍ରତି ଲକ୍ଷେ ଶିଶୁ କନ୍ୟା ବିରୋଧରେ ଅପରାଧର ହାର ୫୪.୯୨% ରହିଛି। ସେପଟେ ପ୍ରତି ଲକ୍ଷେ ମହିଳା ଜନସଂଖ୍ୟାରେ ମହିଳାଙ୍କ ପ୍ରତି ଅପରାଧ ହାର ରାଜଧାନୀ ଭୁବନେଶ୍ବରରେ ପ୍ରାୟ ୧୭୧% ରହିଛି। ଯାହା ସାରା ଦେଶରେ ସପ୍ତମ ସ୍ଥାନରେ ବୋଲି ଜଣାପଡିଛି।
୨୦୨୦ ଏନସିଆରବି ରିପୋର୍ଟ ଅନୁଯାୟୀ, ସମଗ୍ର ଓଡିଶାରେ ମହିଳାଙ୍କ ପ୍ରତି ଅପରାଧ ହାର ପ୍ରତି ଏକ ଲକ୍ଷରେ ୧୧୩ ରହିଥିଲା। ହେଲେ ନୀତି ଆୟୋଗର ରିପୋର୍ଟ ଅନୁସାରେ ରାଜ୍ୟ ରାଜଧାନୀରେ ମହିଳାଙ୍କ ବିରୋଧରେ ଅପରାଧ ରାଜ୍ୟର ଅନ୍ୟ ଜିଲ୍ଲାର ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ତୁଳନାରେ ଢେର ଅଧିକ ରହିଛି। ରାଜଧାନୀକୁ ଅପରାଧ ମୁକ୍ତ କରିବା ପାଇଁ ୨୦୦୮ରେ ଭୁବନେଶ୍ବର ସମେତ କଟକରେ ଏକାକାଳିନ ଦି ମୋଷ୍ଟ ପାୱାରଫୁଲ କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ କରାଯାଇଥିଲା। ହେଲେ ଯେଭଳି ଭାବେ ଏ ସବୁ ରିପୋର୍ଟ ପ୍ରକାଶ ପାଉଛି ତାହା ରାଜଧାନୀରେ ରହୁଥିବା ମହିଳାଙ୍କ ପାଇଁ ସତର୍କର ଘଣ୍ଟି ବଜାଇ ଦେଇଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ରାଜ୍ୟ ରାଜଧାନୀ ଠାରୁ ଜାତୀୟ ରାଜଧାନୀରେ ଅପରାଧ ହାର ଯେଥଷ୍ଟ କମ ରହିଛି। ଅନେକ ରାଜ୍ୟରେ କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ କରାଯାଇଛି। ହେଲେ ଭୁବନେଶ୍ବରରେ ଥିବା କମିଶନରେଟ ପୋଲିସ ଠାରୁ ଅନ୍ୟ ରାଜ୍ୟର କମିଶନରେଟ ପୋଲିସ ମଧ୍ୟରେ ତଫାତ ଦେଖିବାକୁ ମିଳୁଛି। ଆଗକୁ ଶୀତକାଳିନ ଅଧିବେଶନ ବସିବାକୁ ଯାଉଛି। ନିଶ୍ଚିତ ରୂପେ ରାଜଧାନୀ ଭୁବନେଶ୍ବରରେ ମହିଳା ଓ ଶିଶୁ କନ୍ୟାଙ୍କ ଉପରେ ବୃଦ୍ଧି ପାଉଥିବା ଅପରାଧ ଶାସକ ଦଳଙ୍କ ବିରୋଧୀଙ୍କ ପାଇଁ ବେଶ ଖୋରାକ ଯୋଗାଇବ।
