ନାବାଳିକା ଅପହରଣ ଘଟଣା : ୭ ବର୍ଷ ପରେ ଦୋଷୀକୁ ଆଜୀବନ କାରାଦଣ୍ଡ
କେନ୍ଦ୍ରାପଡା : ଦୀର୍ଘ ୭ ବର୍ଷ ପରେ ଦୋଷୀକୁ ମିଳିଲା ଦଣ୍ଡ । କେନ୍ଦ୍ରାପଡା ଜିଲା ସଦର ଥାନା ଅନ୍ତର୍ଗତ କସୋଟି ଗାଁର ଜଣେ ନାବାଳିକାକୁ ଅପହରଣ ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ ହୋଇଛି । ଦଣ୍ଡାଦେଶ ଶୁଣାଇଛନ୍ତି ଜିଲା ଫାଷ୍ଟଟ୍ରାକ ପୋକ୍ସ କୋର୍ଟ ।
ସୂଚନା ଯେ, ଗତ ୨୦୧୪ ମେ ମାସ ୨୯ ତାରିଖରେ ଟ୍ୟୁସନ ଯାଉଥିବା ସମୟରେ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ଅପହରଣ କରି ନେଇଥିଲା । ଏହାପରେ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଦେଲେ ଝିଅକୁ ଛାଡିବ ବୋଲି କହିଥିଲା ଅଭିଯୁକ୍ତ । ପରିବାର ପକ୍ଷରୁ ଅଭିଯୋଗ କ୍ରମେ ଗିରଫ ହୋଇ ବିଚାରଧୀନ କଏଦୀ ଭାବରେ ଜେଲରେ ଥିଲା ଅଭିଯୁକ୍ତ । ଅଗଷ୍ଟ ୧୭ ୨୦୧୪ରେ ପିପିଲିରୁ ଧରା ପଡିଥିଲା ଅଭିଯୁକ୍ତ । ଜିଲ୍ଲା ଫାଷ୍ଟଟ୍ରାକ ପୋକ୍ସ କୋର୍ଟ ୩୬୪ଏ,୩୬୫ ଦଫାରେ ଦୋଷୀକୁ ଆଜୀବନ କାରାଦଣ୍ଡ ଓ ପାଞ୍ଚ ହଜାର ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ୬ମାସ ଅତିରିକ୍ତ ଜେଲ ରାୟ ଶୁଣାଇଛନ୍ତି । ଅପହରଣକାରୀ ଅଭିଯୁକ୍ତ ପ୍ରଦୀପ ଓଝା ଘର ଜଗତସିଂହପୁର ଢ଼ିଙ୍କିଆ ଗ୍ରାମରେ ବୋଲି ଜଣାପଡିଛି ।
