ଇଡିରେ ହାଜର ହେଲେ ପୂର୍ବତନ ଆଇଏଫଏସ ଅଭୟ ପାଠକ
ଭୁବନେଶ୍ୱର : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେଲେ ପୂର୍ବତନ ଆଇଏଫଏସ ଅଭୟ ପାଠକ । ଅର୍ଥ ହେରଫେର ମାମଲାରେ ପଚରା ଉଚରା କରୁଛି ଇଡି । ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଆଇଏଫଏସ ଅଭୟ ପାଠକ । ପୁଅ ଆକାଶ ପାଠକ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅର୍ଥ ହେରଫେର ମାମଲାରେ ମଧ୍ୟ ଯାଞ୍ଚ ଚାଲିଛି । ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ଟାଟା ନାଁରେ ଠକେଇ ହୋଇଥିବା ଟ୍ରାନଜାକ୍ସନ ସମ୍ପର୍କରେ ପଚରା ଉଚରା କରୁଛି ଇଡି। ଅନ୍ୟପଟେ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ଝିଅଙ୍କୁ ଇଡି ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିବା ଜଣାପଡିଛି ।
ସୂଚନା ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଭୟକାନ୍ତଙ୍କ ଘରେ ରେଡ୍ କରାଯାଇଥିଲା । ଚଢାଉରେ ଆଇଏଫଏସ ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି ବିଷୟରେ ତଥ୍ୟା ପାଇଥିଲା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସରୁ ତଦନ୍ତ ଅନୁଯାୟୀ ଅଭୟକାନ୍ତଙ୍କ ସଂପତ୍ତି ଆୟଠୁ ୪୩୫ ପ୍ରତିଶତ ଅଧିକ ରହିଛି। ଗିରଫ ହୋଇ ଜେଲ୍ରେ ଥିବା ଅଭୟ ପାଠକଙ୍କୁ ପରେ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ । କିନ୍ତୁ ଚାକିରି ଦେବା ନାଁରେ ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଇଡି ଜେରା କରୁଛି । ପୂର୍ବରୁ ମଧ୍ୟ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜେରା କରିଥିଲା ଇଡି।
