ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ : ଖାଦ୍ୟ-ପୋଷଣ ସୂଚକାଙ୍କରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି
ଭୁବନେଶ୍ୱର : ପ୍ରକାଶ ପାଇଛି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ଫଳାଫଳ । ଖାଦ୍ୟ-ପୋଷଣ ସୂଚକାଙ୍କରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ ତୁଳନାରେ ଶିଶୁଙ୍କର ଟୀକାକରଣ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଉନ୍ନତି ହୋଇଛି ।
ରାଜ୍ୟରେ ୯୦.୭୫ ପ୍ରତିଶତ ଶିଶୁଙ୍କର ସଂପୂର୍ଣ୍ଣ ଟୀକାକରଣ କରାଯାଇଛି । ଉପଯୁକ୍ତ ପୋଷଣ ଅଭାବରୁ ବୟସାନୁପାତରେ ଉଚ୍ଚତା କମ୍ ରହୁଥିବା ପିଲାଙ୍କ ସଂଖ୍ୟା ଗତ ଫଳାଫଳ ଅନୁସାରେ ଚଳିତ ଥର ୩.୧ ପ୍ରତିଶତ କମିଛି । ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ସମ୍ଭାବନା ଥିବା ଶିଶୁଙ୍କ ପ୍ରତିଶତ ୨.୩କୁ ହ୍ରାସ ପାଇଛି । କମ୍ ଓଜନ ଶିଶୁଙ୍କ ସଂଖ୍ୟା ୪.୭ ପ୍ରତିଶତ କମିଥିବା ଜଣାପଡିଛି । ଏ ନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି । ସେହିପରି ଶିଶୁ ଜନ୍ମପରେ ପ୍ରଥମ ସ୍ତନ୍ୟପାନ କରିଥିବା ଶିଶୁଙ୍କ ସୂଚକାଙ୍କ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୪ରେ ୬୫.୬ ଥିବା ବେଳେ ସର୍ବେକ୍ଷଣ-୫ରେ ଏହା ୭୨.୯ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପଟେ ପରିପୂରକ ପୋଷକ ୫୪.୯ ପ୍ରତିଶତରୁ ୬୭ ପ୍ରତିଶତକୁ ବୃଦ୍ଧି ପାଇଛି । ଆବଶ୍ୟକ ପରିମାଣରେ ଖାଦ୍ୟ ଗ୍ରହଣ କରୁଥିବା ୬ରୁ ୨୩ ମାସର ଶିଶୁଙ୍କ ପ୍ରତିଶତରେ ଉଲ୍ଲେଖନୀୟ ଉନ୍ନତି ଘଟିଛି ବୋଲି ରିପୋର୍ଟରୁ ଜଣାପଡିଛି ।
