ଶିକ୍ଷା ପାଇଁ ବଡ ପଦକ୍ଷେପ : ଗଣଶିକ୍ଷା ବିଭାଗ ସହିତ ଅନଏକାଡେମୀ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର : ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହିତ ଅନ୍ ଏକାଡେମୀର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ମାନସିକ ଦକ୍ଷତାର ବିକାଶ ତଥା ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଓ ପ୍ରବେଶିକା ପରୀକ୍ଷାଗୁଡ଼ିକରେ ସଫଳତା ହାସଲ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବେଙ୍ଗାଲୁରୁରେ ଅବସ୍ଥାପିତ ଦେଶର ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସୁପରିଚିତ ଅନୁଷ୍ଠାନ ଅନ୍ଏକାଡେମୀ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଉକ୍ତ ବୁଝାମଣାପତ୍ର ଦ୍ୱାରା ଆମ ରାଜ୍ୟରେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ଅନୁଷ୍ଠାନ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ଅନ୍ଲାଇନ୍ ମାଧ୍ୟମରେ ଦେଶର ବଛାବଛା ସୁନାମଧନ୍ୟ ଏବଂ ଉଚ୍ଚ ଯୋଗ୍ୟତାସଂପନ୍ନ ଶିକ୍ଷକମାନଙ୍କଠାରୁ ଶିକ୍ଷାଦାନ ପାଇବାର ସୁଯୋଗ ପାଇବେ ଏବଂ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ପ୍ରବେଶିକା ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରିପାରିବେ । ୩ ବର୍ଷ ମଧ୍ୟରେ ବର୍ଷକୁ ଏକ ହଜାର ଛାତ୍ରଛାତ୍ରୀ ଲେଖାଏଁ ତିନି ହଜାର ଛାତ୍ରଛାତ୍ରୀ ଏହି ସୁଯୋଗ ଉପଭୋଗ କରିପାରିବେ ବୋଲି ଉନ୍ନୟନ କମିଶନର ଶ୍ରୀ ଜେନା ପ୍ରକାଶ କରିଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବୁଝାମଣାପତ୍ର ଅନୁସାରେ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କର ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବା ପାଇଁ ଅନୁପ୍ରେରିତ ତଥା ତ୍ୱରାନ୍ୱିତ କରିବା ନିମନ୍ତେ ବିଭାଗୀୟ ନିର୍ଦ୍ଦେଶକ ତଥା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସମଗ୍ର ଶିକ୍ଷାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଓ ଅନ୍ ଏକାଡେମୀ ତରଫରୁ ବରିଷ୍ଠ ଉପସଭାପତି ଜୟନ ମୋଦି ଉକ୍ତ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ମନୋଜ କୁମାର ମିଶ୍ର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ନିର୍ଦ୍ଦେଶକ, ଅନ୍ୟାନ୍ୟ ଅଧିକାରୀ ତଥା ଅନ୍ଏକାଡେମୀ ଅନୁଷ୍ଠାନର କର୍ମକର୍ତା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
