ଖୁବଶୀଘ୍ର ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା
ନୂଆଦିଲ୍ଲୀ: ଖୁବ ଶୀଘ୍ର ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ସେବା । ପ୍ରାୟତଃ ଚଳିତବର୍ଷ ଶେଷ ସୁଦ୍ଧା ଏହି ସେବା ପୂର୍ବପରି ସ୍ବାଭାବିକ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂଶଲ। କୋଭିଡ ସଂକ୍ରମଣ ଅର୍ଥାତ ୨୦୨୦ ମସିହା ପରଠାରୁ ଭାରତରୁ ଆନ୍ତର୍ଜାତୀୟ ଉଡାଣ ବନ୍ଦ ରହିଛି । ପୂର୍ବରୁ ଜାରି ହୋଇଥିବା ଏହି ବିମାନ ସେବା ରଦ୍ଧ ନିଷ୍ପତ୍ତିକୁ ନଭେମ୍ବର 30 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଭାରତ ସରକାର । ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁସାରେ ଚଳିତବର୍ଷ ଶେଷ ସୁଦ୍ଧା ଏହି ସେବାକୁ ପୂର୍ବପରି ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ କରିବାକୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇପାରେ ।
ବର୍ତ୍ତମାନ ଆନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଏୟାର ବବଲ୍ ବ୍ୟବସ୍ଥା ମଧ୍ୟରେ ପ୍ରାୟ ୨୫ ଦେଶ ସହ ଭାରତ ବିମାନ ସେବା ଆରମ୍ଭ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ରହିଛି । ନିର୍ଦ୍ଦିଷ୍ଟ କଟକଣା ଓ କୋଭିଡ ସର୍ତ୍ତାବଳୀ ମଧ୍ୟରେ ଏହି ସେବା ଆରମ୍ଭ ହେବ । ଗତ ସପ୍ତାହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସନ୍ଧିଆ କହିଛନ୍ତି ଯେ ଆନ୍ତର୍ଜାତୀୟ ଉଡାଣକୁ ସ୍ୱାଭାବିକ ପ୍ରକ୍ରିୟାକୁ ସରକାର ନିରୀକ୍ଷଣ କରୁଛନ୍ତି । ଏବେ ବିଶ୍ବର କେତେକ ସ୍ଥାନରେ କୋଭିଡ ସଂକ୍ରମଣ ଏବେ ମଧ୍ୟ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ଏହା ପ୍ରତି ଦୃଷ୍ଟି ଦେଇ ନଷ୍ପତ୍ତି ନେବାକୁ ହେବ। ତେବେ ସବୁ ପରେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଖୁବ ଶୀଘ୍ର ବିମାନ ସେବା ଆରମ୍ଭ ହେବା ନେଇ ସେ ଆଶାବାଦୀ ଥିବା କହିଛନ୍ତି ମନ୍ତ୍ରୀ ସିନ୍ଧିଆ ।
