ଭାରତୀୟ ଦଳକୁ କଡା ଟକ୍କର ଦେବାକୁ ହେଲେ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡିବ : ଓ୍ଵିଲିୟମସନ
ନୂଆଦିଲ୍ଲୀ : ଆଜି ଠାରୁ କାନପୁରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ମ୍ୟାଚ୍ ପୂର୍ବରୁ ନେଇ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ କହିଛନ୍ତି ଯେ, ଘରୋଇ ମାଟିରେ ଭାରତୀୟ ଦଳକୁ କଡା ଟକ୍କର ଦେବାକୁ ହେଲେ କିଓ୍ଵି ଦଳକୁ ଅଶ୍ଵିନ, ଜାଡେଜା ଏବଂ ଅକ୍ଷରଙ୍କ ମୁକାବିଲା ପାଇଁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡିବ।
ଓ୍ଵିଲିୟମସନ କହିଛନ୍ତି, ଡ୍ରେସିଂ ରୁମରେ ମଧ୍ୟ ଖେଳାଳି ଏବଂ ଦଳ ପ୍ରବନ୍ଧକ ଭାରତୀୟ ସ୍ପିନରଙ୍କ ମୁକାବିଲା ପାଇଁ ଉପାୟ ଖୋଜୁଛନ୍ତି। ମ୍ୟାଚ୍ର ପୂର୍ବ ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କିଓ୍ଵି ଅଧିନାୟକ କହିଛନ୍ତି, ତାଙ୍କୁ ମଧ୍ୟ ନିଜର ସ୍ପିନ ବୋଲରଙ୍କଠୁ ଏହି ପରିବେଶରେ ଉନ୍ନତ ପ୍ରଦର୍ଶନର ଆଶା ରହିଛି। ପୂରା ସିରିଜ୍ରେ ସ୍ପିନରଙ୍କ ଦବଦବା ରହିପାରେ। ଭାରତରେ ହେବାକୁ ଥିବା ପ୍ରତିଟି ଟେଷ୍ଟରେ ସ୍ଥିତି ଏମିତି ରହିବ ବୋଲି ଆଶା କରାଯାଉଛି। ଅନେକ ଦଳ ପାଇଁ ସ୍ପିନ ବୋଲିଂ ଏକ ଚ୍ୟାଲେଞ୍ଜ। ଆମକୁ ଭାରତୀୟ ସ୍ପିନରଙ୍କ ବିରୋଧରେ ରନ ସ୍କୋର କରିବାକୁ ହେଲେ ଭିନ୍ନ ଭିନ୍ନ ପନ୍ଥା ଆପଣେଇବାକୁ ପଡିବ।
ନ୍ୟୁଜିଲାଣ୍ଡ ପକ୍ଷରୁ ସ୍ପିନ ବାହିନୀରେ ଏଜାଜ ପଟେଲ୍, ଓ୍ଵିଲ ସମରଭିଲ ଓ ମିଚେଲ୍ ସାଣ୍ଟନର ରହିଛନ୍ତି। ଏଜାଜ ପଟେଲ୍ ଓ ଓ୍ଵିଲ ସମରଭିଲ ଦଳର ସ୍ପିନ୍ ଆକ୍ରମଣରେ ବଡ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କଠୁ ସିରିଜ୍ରେ ଭଲ ପ୍ରଦର୍ଶନର ପୂରା ଆଶା ରହିଛି। ବିଶେଷ କରି କିଓ୍ଵି ଦଳକୁ ଅଶ୍ଵିନ, ଜାଡେଜା ଏବଂ ଅକ୍ଷରଙ୍କ ପ୍ରତି ସତର୍କ ରହିବାକୁ ପଡିବ। ଓ୍ଵିଲିୟମସନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ଓପନିଂ ବ୍ୟାଟସମ୍ୟାନ କେଏଲ ରାହୁଲ, ରୋହିତ ଶର୍ମା, ଦ୍ରୁତ ବୋଲର ଯଶପ୍ରୀତ ବୁମରା, ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ କିଓ୍ଵି ଦଳକୁ ପ୍ରଥମ ଟେଷ୍ଟରେ ଭେବରିଟ୍ ମାନିବାକୁ ମନା କରି ଦେଇଛନ୍ତି। ଏହି ସବୁ ଖେଳାଳିଙ୍କ ଅନୁପସ୍ଥିତିରେ ମଧ୍ୟ ଭାରତୀୟ ଦଳ ବହୁତ ମଜବୁତ ଏବଂ ପ୍ରତିପକ୍ଷ ଦଳକୁ ଚ୍ୟାଲେଞ୍ଜ ଦେବା ପାଇଁ ଭାରତ ପାଖରେ ଦମଦାର ଦଳ ରହିଛି। ଉଲ୍ଲେଖଯୋଗ୍ୟ, ଏହି ସିରିଜ୍ର ପ୍ରଥମ ଟେଷ୍ଟରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ କେଏଲ ରାହୁଲ ଆହତ କାରଣରୁ ସିରିଜ୍ରୁ ବାଦ୍ ପଡିଛନ୍ତି।
