୫୧ଗ୍ରାମ ବ୍ରାଉନସୁଗର : ୧ ଲକ୍ଷ ଟଙ୍କା ସମେତ ୩ ଗିରଫ
ଖୋର୍ଦ୍ଧା,୨୪ ନଭେମ୍ବର(ହି.ସ.) – ଆଦର୍ଶ ଥାନା ପୋଲିସ ୫୧ଗ୍ରାମ ବ୍ରାଉନସୁଗର, ୫ ବାଇକ,୩ ମୋବାଇଲ ସମେତ ନଗଦ ଏକ ଲକ୍ଷ ଟଙ୍କା ଜବତ କରିଛି । ଏହି ଘଟଣାରେ ତିନି ଜଣଙ୍କୁ ବାନ୍ଧିଛି । ତେବେ ପୋଲିସ ବାନ୍ଧିଥିବା ତିନି ଜଣ ହେଲେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଭାଲିଆବାଡ଼ି ଗାଁ ଟାଙ୍ଗିସାହିର ସୋମନାଥ ବରାଳ(୨୦), ସହର ସାହିର ଅଭିନାଶ ପାତ୍ର(୨୦) ଓ ସାମନ୍ତରାପୁର ଆର୍ତତ୍ରାଣ ବେହେରା(୨୦) ।
ପୋଲିସ ସୂଚନା ମୁତାବକ ଖୋର୍ଦ୍ଧା ସହରର ବିଡିଏ କଲୋନୀର କ୍ୱାଟର ନଂ ଏମ-୧୭ରେ ସୋମନାଥ, ଅଭିନାଶ ଓ ଆର୍ତତ୍ରାଣ ବ୍ରାଉନସୁଗର କାରବାର କରିବା ସହିତ ବିଭିନ୍ନ ସ୍ଥାନରୁ ବାଇକ ମଧ୍ୟ ଚୋରି କରନ୍ତି । ତେବେ ଗୁରୁବାର ସକାଳେ ଖୋର୍ଦ୍ଧା ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଏସଡ଼ିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ବିଡିଏ କଲୋନୀର ଉକ୍ତ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ପୋଲିସ ଆଠ ଲକ୍ଷ ଟଙ୍କା ମୂଲ୍ୟର ଚାରୋଟି ବାଇକ,(୫୦.୦୫) ଗ୍ରାମ ପାଂଚ ଲକ୍ଷ ଟଙ୍କାର ବ୍ରାଉନସୁଗର, ନଗଦ ୧ଲକ୍ଷ ୭୦୦ଟଙ୍କା ସମେତ ଦେଢ଼ ଲକ୍ଷ ଟଙ୍କାର ୩ଟି ଦାମୀ ମୋବାଇଲ ଜବତ କରିଛି । ଏନେଇ ଆଦର୍ଶ ଥାନା ପୋଲିସ କେସ ନଂ-୪୭୭/୨୧ ଦଫା ୨୧(ବି),୨୯ଏଂଟିପିଏସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି ।
