୩ କୃଷି ଆଇନ ପ୍ରତ୍ୟାହର ନିଷ୍ପତ୍ତିକୁ କ୍ୟାବିନେଟର ମୋହର
ନୂଆଦିଲ୍ଲୀ: ୩ କୃଷି ଆଇନ ପ୍ରତ୍ୟାହର ଦାବିରେ ଥିବା କୃଷକଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଏହି ପ୍ରତ୍ୟାହାର ପାଇଁ ନେଇଥିବା ନିଷ୍ପତ୍ତିରେ ମୋହର ମାରିଛି କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ତିନି କୃଷି ଆଇନ୍ ରଦ୍ଦ ନେଇ ମଞ୍ଜୁରୀ ମିଳିଛି ।
ତେବେ ସାରା ଦେଶରେ ବର୍ଷେ ଧରି ଚାଲିଥିବା କୃଷି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଗତ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଗୁରୁ ନାନକ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ୩ ଆଇନକୁ ପ୍ରତ୍ୟାହାର କରିନେଇଥିଲେ । ଏଥିସହ ସେ କହିଥିଲେ ଯେ, ଚଳିତ ମାସ ଶେଷ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନରେ ନୂଆ ଆବଶ୍ୟକୀୟ ବିଲ୍ ପ୍ରସ୍ତାବ ଦିଆଯିବ । ସର୍ବନିମ୍ନ ସହାୟତା ମୂଲ୍ୟ ପାଇଁ ଏକ ନୂଆ ଢାଞ୍ଚା ବାହାର କରିବା ପାଇଁ କେନ୍ଦ୍ର ଦ୍ୱାରା ଏକ କମିଟି ଗଠନ କରାଯିବ ।
ନଭେମ୍ବର ୨୬, ୨୦୨୦ ରେ କେନ୍ଦ୍ର ସରକାର ୩ କୃଷି ଆଇନ ପ୍ରଣୟନ କରିବା ପରଠାରୁ ଦେଶବ୍ୟାପୀ କୃଷି ଆନ୍ଦୋଳନ ହୋଇଥିଲା । ନଭେମ୍ବର ୧୯, ୨୦୨୧ ରେ ପ୍ରଧାନମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବା ପରେ ମଧ୍ୟ ଆନ୍ଦୋଳନ ହଟିନାହିଁ । ବର୍ତ୍ତମାନ ସୁଦ୍ଧା କୃଷକ ସଂଗଠନ ସେମାନଙ୍କର ଆନ୍ଦୋଳନ ବନ୍ଦ ନେଇ ଘୋଷଣା କରି ନାହାଁନ୍ତି । ଅନ୍ୟପଟେ ନଭେମ୍ବର ରେ ସଂସଦ ଅଧିବେଶନର ପ୍ରଥମ ଦିନରେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଯୋଜନା କରୁ ଥିବାବେଳେ ଆଜି ଏହି ୩ ଆଇନ ରଦ୍ଦ ନେଇ କ୍ୟାବିନେଟର ମୋହର ବାଜିଛି । ତେବେ ଆନୁଷ୍ଠାନିକ ତଥା ଆଇନଗତ ଭାବେ ଶୀତ ଅଧିବେଶନରେ ଆଇନ ରଦ୍ଦ ହେବା ପରେ ଆନ୍ଦୋଳନ ବନ୍ଦ ହେବ ବୋଲି କୃଷକ ସଂଗଠନ କହିଛି ।
