ବୋଲ ମାନୁନି ତୁଣ୍ଡ : ଶିଖଙ୍କୁ ଖଲିସ୍ତାନ ଆତଙ୍କବାଦୀ କହି ଅଡୁଆରେ କଙ୍ଗନା
ମୁମ୍ବାଇ : ପୁଣି ଅଡୁଆରେ କଙ୍ଗନା । ବୋଲ ମାନୁନି ତୁଣ୍ଡ । ଦିନକୁ ଦିନ ଅଡୁଆରେ ଛନ୍ଧି ହେଉଛନ୍ତି ଅଭିନେତ୍ରୀ କଙ୍ଗନା । ବିବାଦୀୟ ବୟାନ ପାଇଁ ଆଉ ଥରେ ଆଡୁଆରେ ପଡିଛନ୍ତି କଙ୍ଗନା ରଣାୱାତ । ସୋସିଆଲ ମିଡିଆ ପୋଷ୍ଟରେ ଶିଖ ସଂପ୍ରଦାୟର ଲୋକଙ୍କ ଭାବାବେଗଙ୍କୁ ଆଘାତ ଦେଇଥିବା ନେଇ କଙ୍ଗନାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଜୋର ଧରିଛି। ଶିଖ୍ ସମ୍ପ୍ରଦାୟକୁ ଖଲିସ୍ତାନ ଆତଙ୍କବାଦୀଙ୍କ ସହିତ ତୁଳନା କରିବା ନେଇ ଥାନାରେ କଙ୍ଗନାଙ୍କ ନାଁରେ ମାମଲା ରଜ୍ଜୁ ହୋଇଛି ।
କଙ୍ଗନା ଉଦ୍ଦେଶ୍ୟମୂଳକ ଭାବରେ ଚାଷୀ ଆନ୍ଦୋଳନକୁ ଖଲିସ୍ତାନୀ ଆନ୍ଦୋଳନ ଓ ଶିଖ୍ ସମ୍ପ୍ରଦାୟକୁ ଖଲିସ୍ତାନ ଆତଙ୍କବାଦୀ ବୋଲି କହିଛନ୍ତି । ଖଲିସ୍ତାନ ଆତଙ୍କବାଦୀ ସରକାରଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇପାରନ୍ତି । ସେମାନେ ଭୁଲି ଯିବା ଉଚିତ ନୁହେଁ ଯେ କେବଳ ଜଣେ ମହିଳା ପ୍ରଧାନମନ୍ତ୍ରୀ ସେମାନଙ୍କୁ ନିଜ ଜୋତା ତଳେ ଚାପି ଦେଇଥିଲେ ଓ ନିଜ ଦେଶକୁ ବିଭାଜିତ ହେବାକୁ ଦେଇ ନଥିଲେ । କଙ୍ଗନାଙ୍କ ଏପରି ବୟାନ ପାଇଁ ମୁମ୍ବାଇର ବ୍ୟବସାୟୀ ଅମରଜିତ ସିଂ ସିନ୍ଧୁ, ଦିଲ୍ଲୀ ଶିଶ୍ ଗୁରୁଦ୍ବାର ପରିଚାଳନା କମିଟି ଏବଂ ଶିରୋମଣି ଅକାଳୀ ଦଳ ପକ୍ଷରୁ ତାଙ୍କ ବିରୋଧରେ ଖର୍ ଥାନରେ ଏତଲା ଦାୟର ହୋଇଛି ।
