ଅଭାବନୀୟ ଘଟଣା : ଅଣ୍ଡା ତରକାରୀ ନ କରିଦେବାରୁ ମା’କୁ ହତ୍ୟା କଲା ପୁଅ
ଝାରସୁଗୁଡ଼ା : ଅଭାବନୀୟ ଘଟଣା । ଅଣ୍ଡା ତରକାରୀ ନ କରିଦେବାରୁ ମା’କୁ ହତ୍ୟା କଲା ପୁଅ । ମା’କୁ ଅଣ୍ଡା ରୋଷେଇ କରିବା ପାଇଁ କହିଥିଲା ପୁଅ, କିନ୍ତୁ ମନା କରିଦେଇଥିଲେ ମା’ । ଯାହା ପରେ ଧାରୁଆ ଅସ୍ତ୍ରରେ ହାଣି ବିଧବା ମା’କୁ ହତ୍ୟା କଲା ପୁଅ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଜିଲ୍ଲାର ସଦର ଥାନା ଅଞ୍ଚଳରେ । ପୋଲିସ ମାତୃ ହତ୍ୟାକାରୀ ପୁଅକୁ ଗିରଫ କରିଛି । ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ଇବ ଗାଁରେ ମା’ ଅଣ୍ଡା ରୋଷେଇ କରିନଦେବାରୁ ପୁଅ ଧାରୁଆ ଅସ୍ତ୍ରରେ ବିଧବା ମା’କୁ ହତ୍ୟା କରିଛି ବୋଲି ଝାରସୁଗୁଡ଼ା ଏସଡ଼ିପିଓ ସୂଚନା ଦେଇଛନ୍ତି ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପୁଅ ରାଜେଶ ଭୋଇକୁ ଗିରଫ କରିଛି ସଦରଥାନା ପୋଲିସ । ସୂଚନା ଅନୁଯାୟୀ ଇବ୍ ଗାଁର କୁମୋଦିନୀ ଭୋଇ (୪୫) ଗତକାଲି ରାତିରେ ଘରେ ରୋଷେଇ କରୁଥିବା ବେଳେ ପୁଅ ରାଜେଶ ଭୋଇ ଖାଇବା ପାଇଁ ଅଣ୍ଡା ଆଣିଥିଲେ ଓ ରୋଷେଇ କରିବା ପାଇଁ କହିଥିଲେ । କିନ୍ତୁ ମା’ ରୋଷେଇ କରିବାକୁ ମନା କରିବାରୁ ପୁଅ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ମାଆକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ମାଆର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ କୁମୋଦିନୀଙ୍କ ଦିଅର ସଦର ଥାନାକୁ ଖବର ଦେବା ସହିତ ଲିଖିତ ଭାବେ ଜଣାଇଥିଲେ । ଆଜି ସକାଳୁ ସଦରଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମା’ର ନୃଶଂସ ହତ୍ୟାକାରୀ ପୁଅ ରାଜେଶକୁ ପୋଲିସ ଗିରଫ କରିଛି ବୋଲି ଝାରସୁଗୁଡ଼ା ଏସଡ଼ିପିଓ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି । ଅଭିଯୁକ୍ତର ପତ୍ନୀ ନଥିବା ସହ ଏକ ଝିଅ ଅଛନ୍ତି ।
