ପୁରୁଷ ହକି ବିଶ୍ୱକପ ୨୦୨୧ : ଟାର୍ଗେଟ ଟ୍ରଫି, ୧୬ ଅଂଶଗ୍ରହଣକାରୀ ଦଳ ପ୍ରସ୍ତୁତ
ଭୁବନେଶ୍ୱର : ଭୁବନେଶ୍ୱର ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଏଫଆଇଚ ଓଡିଶା ଜୁନିଅର ପୁରୁଷ ହକି ବିଶ୍ୱକପ ୨୦୨୧ର ଶୀର୍ଷ ସମ୍ମାନ ପାଇଁ ଲଢେଇ ହେବ । କେବଳ ନଭେମ୍ବର ୨୪କୁ ଅପେକ୍ଷା । ସମସ୍ତ ୧୬ଟି ଟିମ ୪ଟି ପୁଲ୍ରେ ବିଭକ୍ତ ହୋଇଛନ୍ତି । ଫଳରେ ପ୍ରତ୍ୟେକ ପୁଲ୍ର ସମସ୍ତ ୪ଟି ଟିମ ଶୀର୍ଷ ଦୁଇ ସ୍ଥାନ ମଧ୍ୟରେ ରହିବାକୁ ଲଢେଇ କରିବେ । କାରଣ ପ୍ରତ୍ୟେକ ପୁଲ୍ର ଶୀର୍ଷ ଦୁଇଟି ଟିମ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର-ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ ।
ପୁଲ୍ ‘ଏ’ରେ ୟୁରୋପିଅନ ଶକ୍ତିଶାଳୀ ବେଲଜିୟମର ଟକ୍କର ମାଲେସିଆ, ଚିଲେ ଓ ଦକ୍ଷିଣ ଆଫ୍ରିକା ସହ ହେବ । ଡିଫେଣ୍ଡିଂ ଚମ୍ପିଆନ ଭାରତ ଗ୍ରୁପ୍ ‘ବି’ରେ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ସହ ରହିଛି । ଗତ ସପ୍ତାହରେ ସମସ୍ତ ୩ଟି ଟିମ ଭୁବନେଶ୍ବରରେ ପହଞ୍ଚିସାରିଛନ୍ତି । ଘରୋଇ ପରିବେଶରେ ଅଲମ୍ପିଆନ କ୍ୟାପଟେନ ବିବେକ ସାଗର ପ୍ରସାଦଙ୍କ ନେତୃତ୍ବରେ ଭାରତୀୟ ଟିମ ସମ୍ମାନଜନକ ଟ୍ରଫି ନିଜ ପାଖରେ ରଖିବାକୁ ଦମ ଲଗାଇବ । ବର୍ଷ ୨୦୧୬ରେ ଟିମ ଇଣ୍ଡିଆ ଚମ୍ପିଆନ ହୋଇଥିଲା । ଫଳରେ ସମାନ ପ୍ରକାର ପ୍ରଦର୍ଶନକୁ ଦୋହରାଇବା ଲକ୍ଷ୍ୟରେ ଭାରତୀୟ ଟିମ ରହିଥିବା କହିଛନ୍ତି କ୍ୟାପଟେନ ବିବେକ ସାଗର । ନେଦରଲାଣ୍ଡ୍ସ, ସ୍ପେନ କୋରିଆ, ୟୁଏସଏ ପୁଲ୍ ସି’ରେ ରହିଛନ୍ତି ଓ ପୁଲ୍ ଡି’ରେ ରହିଛନ୍ତି ଜର୍ମାନୀ, ପାକିସ୍ତାନ, ଇଜିପ୍ଟ ଓ ଆର୍ଜେଣ୍ଟିନା । ଫଳରେ ଏହି ଗ୍ରୁପରେ ଜବରଦସ୍ତ ଟକ୍କର ହେବାନେଇ ଆଶା କରାଯାଉଛି ।
